ଲକ୍ଷ୍ନୌ : ଉତ୍ତରପ୍ରଦେଶର ହାଇ ପ୍ରୋଫାଇଲ ଆସନ ବାରଣାସୀରେ ଏବେ ରାଜନୈତିକ ହଟଚମଟ ଦେଖିବାକୁ ମିଳିଛି। ସମାଜବାଦୀ ପାର୍ଟିରେ ସାମିଲ ହୋଇଥିବା ବହିଷ୍କୃତ ଯବାନ ତେଜ ବାହାଦୁରଙ୍କୁ ଆଜି ଆଚନକ ମହାମେଣ୍ଟ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି । ବାରଣାସୀ ଆସନରେ ପୂର୍ବରୁ ସମାଜବାଦୀ ପାର୍ଟି ନେତ୍ରୀ ଶାଳିନୀ ଯାଦବ ମହାମେଣ୍ଟ ପ୍ରାର୍ଥୀ ହୋଇଥିବା ବେଳେ ଏବେ ଶାଳିନୀଙ୍କ ସ୍ଥାନ ନେଇଛନ୍ତି ତେଜ ବାହାଦୁର। ଶାଳିନୀଙ୍କ ଟିକଟ ବାତିଲ କରି ତେଜ ବାହାଦୁରଙ୍କୁ ଟିକଟ ଦିଆଯିବା ପରେ ଆମ ଆଦ୍ମି ପାର୍ଟି ନେତା ଅରବିନ୍ଦ କେନ୍ଦ୍ରିୱାଲ ମଧ୍ୟ ଏହି ନିଷ୍ପତ୍ତିକୁ ସମର୍ଥନ କରି ତାଙ୍କୁ ସ୍ବାଗତ କରିଛନ୍ତି। ଅନ୍ୟପକ୍ଷରେ ମହାମେଣ୍ଟ ପ୍ରାର୍ଥୀ ଘୋଷଣା ପରେ ବାହୁବଳି ଅତୀକ ଅହମ୍ମଦ ମଧ୍ୟ ସ୍ବାଧୀନ ପ୍ରାର୍ଥୀ ଭାବେ ବାରଣାସୀରୁ ଲଢ଼ିବା ଘୋଷଣା କରିଛନ୍ତି। ମୁସ୍ଲିମ ଭୋଟ୍ରଙ୍କ ଉପରେ ତାଙ୍କ ଭଲ ପ୍ରଭାବ ଥିବା କୁହାଯାଉଥିବାରୁ କଂଗ୍ରେସ ଏବଂ ମହାମେଣ୍ଟ ପ୍ରାର୍ଥୀଙ୍କ ଗଣିତ ସେ ବିଗାଡ଼ି ଦେବେ ବୋଲି ଆଶଙ୍କା କରାଯାଉଛି।
୨୦୧୭ ମସିହାରେ ବିଏସ୍ଏଫ୍ରୁ ବହିଷ୍କୃତ ହୋଇଥିବା ତେଜ ବାହାଦୁରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯବାନଙ୍କୁ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତା ଅତ୍ୟନ୍ତ ଖରାପ ଥିବା ଅଭିଯୋଗ ଆଣି ତେଜବାହାଦୁର ଏହି ଭିଡିଓ ପ୍ରସ୍ତୁତ କରିଥିଲେ। ଏହାକୁ ନେଇ ଦେଶରେ ହଇଚଇ ସୃଷ୍ଟି ହୋଇଥିଲା ଏବଂ ତଦନ୍ତ ପରେ ତାଙ୍କୁ ସେନା ଦୋଷୀ ଦର୍ଶାଇ ବହିଷ୍କାର କରିଥିଲା। ଆଜି ତେଜବାହାଦୁରଙ୍କୁ ସପା ବାରଣାସୀରେ ପ୍ରାର୍ଥୀ କରିବାପରେ ଏଠାରେ ପ୍ରତିଦ୍ବନ୍ଦ୍ବିତା ଜୋର୍ଦାର ହେବ ବୋଲି କୁହାଯାଉଛି। ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବାକୁ ପୂର୍ବରୁ ଘୋଷଣା କରି ଚର୍ଚ୍ଚାରେ ଥିବା ତେଜବାହାଦୁର ଏବେ ମହାମେଣ୍ଟ ପ୍ରାର୍ଥୀ ହେବାପରେ ତାଙ୍କୁ ନେଇ କର୍ମୀ ମହଲରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି। ତେଜ ବାହାଦୁର ଆଜି ସପାରେ ଯୋଗ ଦେବାପରେ ନିଜକୁ ଜଣେ ପ୍ରକୃତ ଚୌକିଦାର କହିବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନକଲି ଚୌକିଦାର ବୋଲି କହିଛନ୍ତି । ସେ କହିଛନ୍ତି ୨୧ ବର୍ଷ ଧରି ମୁଁ ସୀମାରେ ଜଗି ଦେଶକୁ ସୁରକ୍ଷା ଦେଇ ଆସିଛି। ଦୁର୍ନୀତି ବିରୋଧରେ ମୁଁ ସ୍ବର ଉତ୍ତୋଳନ କରିଛି। ତେଣୁ ଅସଲ ଚୌକିଦାର ମୁଁ, ମୋଦୀଙ୍କ ପାଇଁ ଚୌକିଦାର ଶବ୍ଦ ଖାପ ଖାଉନାହିଁ ବୋଲି ସେ କହିଛନ୍ତି।
ବାରଣାସୀରୁ ତେଜବାହାଦୁର ମହାମେଣ୍ଟ ପ୍ରାର୍ଥୀ
ଶାଳିନୀ ଯାଦବ ଓହରିଲେ
/sambad/media/post_attachments/wp-content/uploads/2019/04/tej-bahadur-yadav.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)