ନୂଆଦିଲ୍ଲୀ : ଆର ଜେ ଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବଙ୍କ ବଡ଼ପୁଅ ତେଜ ପ୍ରତାପ ଏବେ ଘରକୁ ଫେରିବାର ସଙ୍କେତ ଦେଇଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ ତେଜ ପ୍ରତାପ ମଥୁରା,ବୃନ୍ଦାବନ ପରେ ନିଜର ସାଙ୍ଗମାନଙ୍କ ସହିତ ବରସାନାର ଏକ ମନ୍ଦିରକୁ ଯାଇଥିଲେ। ସେ ନିଜ ମୁଣ୍ଡରେ ଏକ ପଗଡ଼ି ପିନ୍ଧିଥିଲେ।
କୁହାଯାଉଛି ବାପାଙ୍କ ଦେହ ଖରାପ ଥିବା ଖବର ପାଇବା ପରେ ତେଜ ପ୍ରତାପ ଘରକୁ ଫେରୁଛନ୍ତି। ତାଙ୍କର ମନୋଭାବ ଟିକେ ନରମ ହୋଇଛି ସତ,ମାତ୍ର ନିଜର ସର୍ତ୍ତରେ ସେ ଅଟଳ ଅଛନ୍ତି। ରାବ୍ରୀ ଦେବୀ ଆଇ ଆରସିଟିସି ସଂପର୍କୀତ ଏକ ମାମଲା ଲାଗି ନୂଆଦିଲ୍ଲୀରେ ଅଛନ୍ତି। କୁହାଯାଉଛି ସେଠାରେ ତେଜ ପ୍ରତାପ ମାଆଙ୍କୁ ଦେଖା କରିପାରନ୍ତି। ରାବ୍ରୀ ଦେବୀଙ୍କ ଜାମାତା ତଥା କଂଗ୍ରେସ ନେତା ଜିତେନ୍ଦ୍ର ଯାଦବଙ୍କ ପୁଅ ରାହୁଲ ମାଆ-ପୁଅଙ୍କର ଭେଟ କରାଇବାର ପ୍ରୟାସ ଜାରି ରଖିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଖାଲି ସେତିକି ନୁହେଁ ତେଜ ପ୍ରତାପଙ୍କୁ ମନାଇବା ଲାଗି ସାନ ଭାଇ ତେଜସ୍ୱୀ ଯାଦବ ମଧ୍ୟ ପ୍ରଚେଷ୍ଟା ଚଳାଇଛନ୍ତି। ଏଣେ ତେଜ ପ୍ରତାପ ଓ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟାଙ୍କ ବିବାଦରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ତାହା ଅନୁଯାୟୀ ଐଶ୍ୱର୍ଯ୍ୟା ପ୍ରତି କଥାରେ ଶାଶୁ ରାବ୍ରୀଙ୍କୁ ସମର୍ଥନ କରୁଛନ୍ତି। ଏବେ ଦେଖିବା କଥା କେବେ ଘରକୁ ଫେରୁଛନ୍ତି ତେଜ ପ୍ରତାପ!