ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ ଲାଲୁଙ୍କ ପୁଅ, ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଯୋଗ ଦେବେ ତ !

ନୂଆଦିଲ୍ଲୀ: ଶନିବାର ବିବାହ ବନ୍ଧନରେ ବାନ୍ଧି ହେବେ ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ପୁଅ ତେଜପ୍ରତାପଙ୍କ ଯାଦବ ଓ ଆରଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଚନ୍ଦ୍ରିକା ରାୟଙ୍କ ଝିଅ ଐଶ୍ୱର୍ଯ୍ୟା ରାୟ । ଏହି ବିବାହକୁ ନେଇ ଦୁଇ ପରିବାର ଜୋରଦାର ପ୍ରସ୍ତୁତି କରିଛନ୍ତି । ଗତକାଲି ଉଭୟଙ୍କ ହଲଦୀ ରସମ ସରିଛି। ଲାଲୁଙ୍କ ପୁଅ ବାହାଘରରେ ବହୁ ରାଜନେତା ତଥା ବିଶିଷ୍ଟ ବ୍ୟକ୍ତି ସାମିଲ ହେବା କାର୍ଯ୍ୟକ୍ରମ ରହିଛି । ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ସିଂହ ଯାଦବ, ପୂର୍ବତନ ଜେଡିୟୁ ମୁଖ୍ୟ ଶରଦ ଯାଦବ, ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ବାବୁଲାଲ ମରାଣ୍ଡି ଓ ବରିଷ୍ଠ ଓକିଲ ରାମ ଜେଠମଲାନିଙ୍କ ଏହି ତେଜପ୍ରତାପଙ୍କ ବାହାଘରରେ ସାମିଲ ହେଉଥିବା ସୂଚନା ମିଳିଛି ।

ଏହା ସହ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଝିଅ ପ୍ରିୟଙ୍କା ଗାନ୍ଧି ମଧ୍ୟ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି। ତେବେ ଏହାରି ଭିତରେ ସମସ୍ତଙ୍କ ନଜର ରହିବ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପରେ । କାରଣ ତେଜପ୍ରତାପ ଓ ଐଶ୍ୱର୍ଯ୍ୟାଙ୍କ ବିବାହରେ ଯୋଗ ଦେଇ ନବଦମ୍ପତିଙ୍କୁ ଆର୍ଶୀବାଦ ଦେବାକୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପହଂଚିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଗତବର୍ଷ ମହାମେଣ୍ଟ ଭାଙ୍ଗିବା ପରେ ଲାଲୁ ଓ ନୀତିଶଙ୍କର ଏହା ହେବ ପ୍ରଥମ ସାକ୍ଷାତ ।

ସମ୍ବନ୍ଧିତ ଖବର