ତେଜସ୍ୱୀ କହିଲେ ବିହାରରେ ନୂତନ ସରକାର ଗଠନ କରିବ ମହାଗଠବନ୍ଧନ; ନବ ନିର୍ବାଚିତ ବିଧାୟକଙ୍କୁ ପାଟଣା ନ ଛାଡ଼ିବାକୁ ନିର୍ଦ୍ଦେଶ

ପାଟନା / ନୂଆଦିଲ୍ଲୀ: ବିହାର ନିର୍ବାଚନ ଫଳାଫଳ ଘୋଷଣା ହୋଇଯିବା ପରେ ଏବେ ନୂତନ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଯାଇଛି। ଏହି ପରିପ୍ରେକ୍ଷୀରେ ପୁଣିଥରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ବିହାରରେ ସରକାର ଗଠନ ପାଇଁ ଏନ୍‌ଡିଏ ପକ୍ଷରୁ ଉଦ୍ୟମ ଚାଲିଥିବା ବେଳେ ମହାଗଠବନ୍ଧନ ନେତା ତେଜସ୍ୱୀ ଯାଦବ ଆଜି ପ୍ରଥମ ଥର ପାଇଁ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ତେଜସ୍ୱୀ କହିଛନ୍ତି ଯେ ବିହାରରେ ନୂତନ ସରକାର ଆରଜେଡି ମହାଗଠବନ୍ଧନ ଗଠନ କରିବ।

ସେଥିପାଇଁ ତେଜସ୍ୱୀ ସମସ୍ତ ନବ ନିର୍ବାଚିତ ଆରଜେଡି ବିଧାୟକଙ୍କୁ ଆସନ୍ତା ଏକ ମାସ ପର୍ଯ୍ୟନ୍ତ ପାଟନାରେ ଅବସ୍ଥାନ କରିବାକୁ ଏବଂ ନିର୍ଦ୍ଦେଶ ନମିଳିବା ପର୍ଯ୍ୟନ୍ତ ପାଟନା ଛାଡ଼ି ନିଜ ନିଜ ନିର୍ବାଚନ ମଣ୍ଡଳୀକୁ ନ ଫେରିବା ପାଇଁ କହିଛନ୍ତି। ତେଜସ୍ୱୀ ଆରଜେଡି ବିଧାୟକମାନଙ୍କୁ କହିଛନ୍ତି ଯେ ପାର୍ଟି ଅପେକ୍ଷା କରିବ ଏବଂ ପରିସ୍ଥିତିକୁ ଦେଖିବା ପରେ ଏହାର ଭବିଷ୍ୟତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବ।

ବିହାରରୁ ନୀତୀଶ କୁମାର-ବିଜେପି ସରକାରକୁ ବିତାଡ଼ିତ କରିବାରେ ବିଫଳ ହୋଇଥିବା ତେଜସ୍ୱୀ ଯାଦବ ଆଜି କହିଛନ୍ତି ଯେ ବିହାରର ଜନାଦେଶ ତାଙ୍କ ସପକ୍ଷରେ ଅଛି ଏବଂ ଅନ୍ୟ କେହି ମୁଖ୍ୟମନ୍ତ୍ରୀଙ୍କ ଆସନରେ ବସିଲେ ମଧ୍ୟ ସେ ବିଜେତା ହୋଇଛନ୍ତି। ଆଉ ଏହାର ପ୍ରମାଣ ହେଉଛି ଚଳିତ ନିର୍ବାଚନରେ ଆରଜେଡି ହିଁ ଏକକ ସଂଖ୍ୟା ଗରିଷ୍ଠ ଦଳ ରୂପେ ଉଭା ହୋଇଛି। ତେଜସ୍ୱୀ ଯାଦବ ଗଣମାଧ୍ୟମକୁ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ନୀତୀଶ କୁମାର ଏହି ନିର୍ବାଚନରେ ବ୍ୟାପକ ଅର୍ଥ, ବାହୁବଳ ଏବଂ ଚତୁରତା ବ୍ୟବହାର କରିଥିଲେ। କିନ୍ତୁ ମହାଗଠବନ୍ଧନକୁ ଅଟକାଇ ପାରିଲେ ନାହିଁ।

ତେଜସ୍ୱୀ କହିଛନ୍ତି, ନୀତୀଶ କୁମାରଙ୍କ ଆଲୋକ କୁଆଡେ ଗଲା। ତାଙ୍କୁ ତୃତୀୟ ସ୍ଥାନକୁ ଠେଲି ଦିଆଯାଇଛି। ଏହା ପରିବର୍ତ୍ତନ ପାଇଁ ଏକ ଜନାଦେଶ। ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି କିନ୍ତୁ ଆମେ ଲୋକଙ୍କ ହୃଦୟରେ ଅଛୁ ବୋଲି ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ।

ଏଥିସହ ଚଳିତ ନିର୍ବାଚନରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଅନେକ ପକ୍ଷପାତିତା ହୋଇଥିବା ଅଭିଯୋଗ କରିଛନ୍ତି ତେଜସ୍ୱୀ। ଯଦି ଆବଶ୍ୟକତା ପଡ଼େ ତେବେ ପୁନଃଗଣତି ପାଇଁ ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର