ଅଖିଳେଶଙ୍କୁ ଭେଟି ବିହାର ଏବଂ ଉତ୍ତରପ୍ରଦେଶରେ ବିଜେପିର ପତନ ହେବ ବୋଲି କହିଲେ ତେଜସ୍ୱୀ ଯାଦବ

ଲକ୍ଷ୍ନୌ : ବହୁଜନ ସମାଜ ପାର୍ଟିର ସୁପ୍ରିମୋ ମାୟାବତୀଙ୍କୁ ଭେଟି ପାଦ ଛୁଇଁ ତାଙ୍କ ଆଶୀର୍ବାଦ ନେଇଥିଲେ ରାଷ୍ଟ୍ରୀୟ ଜନତା ଦଳର ମୁଖ୍ୟ ତେଜସ୍ୱୀ ଯାଦବ । ମାୟାବତୀଙ୍କୁ ଭେଟିବା ପରେ ସେ ସୋମବାର ସମାଜବାଦୀ ପାର୍ଟିର ମୁଖ୍ୟ ଏବଂ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ଭେଟିଛନ୍ତି। ଲକ୍ଷ୍ନୌ ଯାଇ ତେଜସ୍ୱୀ ଅଖିଳେଶଙ୍କୁ ଭେଟିବା ସହ ଦୁହେଁ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିଥିଲେ । ସମ୍ମିଳନୀରେ ତେଜସ୍ୱୀ ସବର୍ଣ୍ଣ ସଂରକ୍ଷଣକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏନ୍‌ଡିଏ ସରକାରଙ୍କୁ ସମାଲୋଚିତ କରିଥିବା ଦେଖା ଯାଇଥିଲା । ଏହା ସହ ବିହାର ଏବଂ ଉତ୍ତରପ୍ରଦେଶରେ ବିଜେପିର ପତନ ହେବା ଦରକାର ବୋଲି ତେଜସ୍ୱୀ କହିବା ସହ ବିହାର ଏବଂ ଉତ୍ତରପ୍ରଦେଶର ଜନତା ଏ ନେଇ ସେମାନଙ୍କୁ ସାହାଯ୍ୟ କରିବେ ବୋଲି ସେ ବିଶ୍ୱାସର ସହ କହିଥିଲେ ।

“ମୁଁ ଜାଣିଛି ଜନତା ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟିକୁ ସମର୍ଥନ କରିବେ । ମୁଁ ମାୟାବତୀଜୀ ଏବଂ ଅଖିଳେଶଜୀଙ୍କୁ ଏହି ଗଠବନ୍ଧନକୁ ରାଷ୍ଟ୍ରହିତରେ ତିଆରି କରିଥିବାରୁ ପାଇଁ ଶୁଭେଚ୍ଛା ଜଣାଉଛି । ଦେଶର ସ୍ଥିତିକୁ ଚାହିଁ ଏହା ଜରୁରୀ ଥିଲା । ଯେଉଁ ଲୋକମାନେ ବ୍ରିଟିଶମାନଙ୍କର ଗୁଲାମ ଥିଲେ,ସେମାନେ ଆଜି କ୍ଷମତାରେ ଅଛନ୍ତି । ଉତ୍ତରପ୍ରଦେଶ, ବିହାର ଏବଂ ଝାଡ଼୍‌ଖଣ୍ଡରେ ବିଜେପି ୧୧୫-୧୧୮ସିଟ୍‌ରେ କ୍ଷମତାରେ ରହିଥିଲା । କିନ୍ତୁ ବହୁଜନ ସମାଜ ପାର୍ଟି ଏବଂ ସମାଜବାଦୀ ପାର୍ଟିର ଗଠବନ୍ଧନ ହେବା ପରେ ବିଜେପିର ସିଟ୍‌ ସଂଖ୍ୟା ୧୦୦ରୁ କମ ହୋଇଯିବ” ବୋଲି ତେଜସ୍ୱୀ କହିଛନ୍ତି ।

ତେଜସ୍ୱୀଙ୍କ ପରେ ଅଖିଳେଶ ମଧ୍ୟ ଏନ୍‌ଡିଏ ସରକାର ବିରୋଧରେ ନିଜର ମତ ରଖିଥିଲେ । ଦେଶର ବିଭିନ୍ନ ସମସ୍ୟାକୁ ଉଠାଇ ଏ ନେଇ ବିଜେପି ସରକାର ଦାୟୀ ବୋଲି ସେ କହିଥିଲେ । ଯୁବପିଢ଼ିଙ୍କୁ ଚାକିରି ନ ମିଳିବା ସହ ବ୍ୟବସାୟୀମାନଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ୁଥିବାରୁ ସାରା ଦେଶର ଯୁବପିଢ଼ି ଏନ୍‌ଡିଏ ସରକାରଙ୍କ ଉପରେ ରାଗ ରଖିଥିବା କହିଥିଲେ ଅଖିଳେଶ । ଏହା ସହ ଉତ୍ତରପ୍ରଦେଶର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଥିବା ଯୋଗୀ ଆଦିତ୍ୟନାଥ ଯେଉଁ ଭାଷା ପ୍ରୟୋଗ କରୁଛନ୍ତି ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ ଅଖିଳେଶ ।

ତାଙ୍କ କହିବା ଅନୁଯାୟୀ,ଯୋଗୀ ଆଦିତ୍ୟନାଥ ପ୍ରଥମେ ‘ଠୋକ୍‌ ଦୋ’ ବୋଲି କହୁଥିଲେ । ପରେ ସେ ଆମମାନଙ୍କୁ ସାପ ଏବଂ ନେଉଳ ବୋଲି କହିଥିଲେ । କିନ୍ତୁ ସେ ଯାହା ବି କହିଥିଲେ ମଧ୍ୟ ଆମେ କେବେ ହେଲେ ତାଙ୍କ ପାଇଁ ସେଭଳି କିଛି ଭାଷା ପ୍ରୟୋଗ କରି ନାହୁଁ ।

ସମ୍ବନ୍ଧିତ ଖବର