କାମ ନକରି ବେକାର କଥା କହିବାକୁ ଅମିତ ଶାହ ବିହାର ଆସିଥିଲେ: ତେଜସ୍ବୀ ଯାଦବ

ପାଟନା: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିହାର ଗସ୍ତ ସମୟରେ ନୀତୀଶ ସରକାରଙ୍କୁ ନେଇ କହିଥିବା କଥାର ଜବାବ ଦେଲେ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ। ବିହାରର ସମସ୍ୟା ବୁଝିବା ପରିବର୍ତ୍ତେ ବେକାର କଥା କହିବାକୁ ଅମିତ ଶାହ ବିହାର ଆସିଥିଲେ ବୋଲି କହିଛନ୍ତି ତେଜସ୍ବୀ ଯାଦବ।

ତାଙ୍କ କହିବା ମୁତାବକ, ୨୦୧୪ମସିହାରେ ପୂର୍ଣ୍ଣିଆରେ ହୋଇଥିବା ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର‌ ମୋଦୀ ବିହାରବାସୀଙ୍କୁ କିଛି ପ୍ରତିଶ୍ରୁତି ଦେଇଥିଲେ। ଯଦି ବିଜେପି ସରକାର ଗଠନ କରେ ତେବେ ବିହାରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ସ୍ୱତନ୍ତ୍ର ପ୍ୟାକେଜ ଏବଂ ବିଶେଷ ଧ୍ୟାନ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ହେଲେ ୮ବର୍ଷ ପରେ ବି ତାହା ହୋଇପାରିନାହିଁ। ହେଲେ ସେ ବିଷୟରେ କିଛି କହିବା ପରିବର୍ତ୍ତେ ବିହାର ଆସି ବେକାର କଥା କହିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

ସେ ଆହୁରି ମଧ୍ୟ କହିଥିଲେ ଯେ, ପ୍ରତିବର୍ଷ ୨କୋଟି ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି। ହେଲେ ବିହାର ଆସି କେତେ ଲୋକଙ୍କୁ ୮ବର୍ଷରେ ଚାକିରି ଦେଇଛନ୍ତି, ତାହାର ହିସାବ କାହିଁକି ଦେଲେନି। ବିଜେପି ବିହାରକୁ କେବଳ ଠକିବା ପାଇଁ ଆ‌ସେ।

ଅନ୍ୟପକ୍ଷରେ ବିହାରର ପୂର୍ଣ୍ଣିଆରେ ଆୟୋଜିତ ରାଲିରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଥିଲେ ଶାହ। ଲାଲୁ ପ୍ରସାଦ ଯାଦବଙ୍କ କୋଳରେ ବସିବା ଲାଗି ‘ଜେଡି(ୟୁ)’ ମୁଖ୍ୟ ତଥା ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ‘ବିଜେପି’କୁ ଧୋକା ଦେଇଥିବା ଅମିତ ଶାହ କହିଥିଲେ। ସୀମାଞ୍ଚଳ ନୀତୀଶ କୁମାରଙ୍କୁ ଠିକଣା ଜବାବ ଦେବେ। ଏଭଳି କରି ନୀତୀଶ କ’ଣ ପ୍ରଧାନମନ୍ତ୍ରୀ ହୋଇପାରିବେ? ‘ଜେଡି(ୟୁ)-ଆର୍‌ଜେଡି’ କହୁଛନ୍ତି ଲଢ଼େଇ କରିବା ଲାଗି ମୁଁ ଏଠାକୁ ଆସିଛି। ମୁଁ ଏଠାକୁ ଲଢ଼େଇର ସୂତ୍ରପାତ କରିବା ପାଇଁ ଆସିନାହିଁ। ସେଥିପାଇଁ ଲାଲୁ ପ୍ରସାଦ ଯାଦବ ଯଥେଷ୍ଟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଛତ୍ରଛାୟାରେ ଆମେ ଚିନ୍ତିତ ହେବା ଅନାବଶ୍ୟକ।

ସମ୍ବନ୍ଧିତ ଖବର