ଯିଏ ଡରୁଛି, ତାକୁ ଡରାଅ; ଏହି ଚିନ୍ତାଧାରା ସହ କାମ କରୁଛି ବିଜେପି: ତେଜସ୍ବୀ ଯାଦବ

ପଟନା: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର କାର୍ଯ୍ୟାନୁଷ୍ଠାନକୁ ନେଇ ରାଜନୀତି ସରଗରମ ହୋଇଛି। ଏହାକୁ ପ୍ରତିଶୋଧର ରାଜନୀତି ବୋଲି କହି ବିରୋଧୀ ଲଗାତାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଏବେ ବିହାରର ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ପ୍ରତିକ୍ରିୟା ମଧ୍ୟ ଏହି ପ୍ରସଙ୍ଗରେ ଆସିଛି। କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରି ତେଜସ୍ୱୀ କହିଛନ୍ତି ଯେ, ଇଡି, ସିବିଆଇ କିମ୍ବା ଆୟକର ବିଭାଗ ହେଉ, ଏହି ସମସ୍ତ ଏଜେନ୍ସି ବିଜେପିର ଏକ ସେଲ୍ ଭାବରେ କାର୍ଯ୍ୟ କରୁଛନ୍ତି। ମୁଁ ଦୁଃଖିତ ଯେ ଅନୁସନ୍ଧାନକାରୀ ସଂସ୍ଥାରେ ଥିବା ସମସ୍ତ ବ୍ୟକ୍ତି ଏପରି କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି। ଏହି ଅଧିକାରୀଙ୍କ ଉପରେ ଚାପ ଏତେ ଅଧିକ ଯେ ସେମାନେ ନ୍ୟାୟଯୁକ୍ତ ଅନୁସନ୍ଧାନ କରିବାକୁ ସକ୍ଷମ ନୁହଁନ୍ତି। ତଦନ୍ତ କେବଳ ବିରୋଧୀଙ୍କର କରାଯାଉଛି। କିନ୍ତୁ, ଆମେ ଅନୁସନ୍ଧାନକୁ ଭୟ କରୁନାହୁଁ।

ତେଜସ୍ୱୀ କହିଛନ୍ତି ଯେ, ଯେଉଁମାନେ ଡରୁଛନ୍ତି, ସେମାନଙ୍କୁ ଡରାଅ। ବିଜେପି ଏହି ଚିନ୍ତାଧାରା ସହିତ କାମ କରୁଛି। ଦୁଃଖର ବିଷୟ ଯେ ଅନୁସନ୍ଧାନକାରୀ ସଂସ୍ଥା ଆଜି ବିଜେପିର ଦାସ ଭାବରେ କାର୍ଯ୍ୟ କରୁଛନ୍ତି। ବିରୋଧୀଙ୍କ ଅନୁସନ୍ଧାନରେ ସମ୍ପୃକ୍ତ ସମସ୍ତ ଅଧିକାରୀଙ୍କର ତୁରନ୍ତ ପଦୋନ୍ନତି କରାଯାଉଛି। ଦେଶର ସମ୍ପତ୍ତି ବିକ୍ରି ହେଉଛି। ବିଜେପି ଦେଶ ଚଳାଉ ନାହିଁ।

ଅର୍ଥ ହେରଫେର ମାମଲାକୁ ନେଇ ନ୍ୟାସନାଲ ହେରାଲ୍ଡ କାର୍ଯ୍ୟାଳୟକୁ ଇଡି ଗତକାଲି ସିଲ୍ କରିବା ସହ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ପତ୍ରା ‘ଚଲ୍‌’ ଜମି ଦୁର୍ନୀତି ମାମଲାରେ ଗିରଫ କରିଛି ଇଡି। ଏସବୁ ଘଟଣାକୁ ଦେଖି ତେଜସ୍ବୀ କେନ୍ଦ୍ରକୁ ଟାର୍ଗେଟ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର