ପାଟନା : ମଙ୍ଗଳବାର ବିହାର ମନ୍ତ୍ରିମଣ୍ଡଳରେ ୩୧ ନୂଆ କ୍ୟାବିନେଟ୍ ମନ୍ତ୍ରୀ ଶପଥଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ସବୁଠାରୁ ଅଧିକ ୧୬ ଜଣ ହେଉଛନ୍ତି ଆର୍ଜେଡିର। ବିହାରରେ ଜଙ୍ଗଲରାଜ ପୁଣି ଫେରିବା ଅଭିଯୋଗ ଉଠିଥିବାବେଳେ ଉପମୁଖ୍ୟମନ୍ତ୍ରୀ ତଥା ଆର୍ଜେଡି ନେତା ତେଜସ୍ବୀ ଯାଦବ ଦଳର ମନ୍ତ୍ରୀମାନଙ୍କ ପାଖରେ ଛଅଟି ଅନୁରୋଧ ରଖିଛନ୍ତି।
ତେଜସ୍ବୀଙ୍କ ଅନୁରୋଧ, ଆର୍ଜେଡି ମନ୍ତ୍ରୀମାନେ ନିଜ ପାଇଁ କୌଣସି ନୂଆ ଗାଡ଼ି କିଣିବେ ନାହିଁ। ତାଙ୍କଠାରୁ ବୟସ୍କ ଲୋକଙ୍କୁ ତାଙ୍କର ପାଦ ଛୁଇଁ ପ୍ରଣାମ କରିବାକୁ ଅନୁମତି ଦେବେ ନାହିଁ। ପ୍ରତ୍ୟେକଙ୍କ ସହ ସେମାନେ ଭଦ୍ର ଓ ଶିଷ୍ଟ ବ୍ୟବହାର କରିବେ। ଜାତି-ଧର୍ମ ନିର୍ବିଶେଷରେ ଗରିବ ଓ ଅଭାବୀ ଲୋକଙ୍କୁ ସାହାଯ୍ୟ କରିବେ। ଏକ ଟ୍ବିଟର ପୋଷ୍ଟ ମାଧ୍ୟମରେ ଲାଲୁଙ୍କ ପୁତ୍ର ଆର୍ଜେଡି କୋଟାରେ ମନ୍ତ୍ରୀ ହୋଇଥିବା ସମସ୍ତ ନେତାଙ୍କୁ ଏପରି ଅନୁରୋଧ କରିଛନ୍ତି।
ତେଜସ୍ବୀ ଆର୍ଜେଡି ମନ୍ତ୍ରୀଙ୍କୁ ଆହୁରି କହିଛନ୍ତି,- ଅଭିବାଦନ କରିବା ଲାଗି ରହିଥିବା ଆମର ପରମ୍ପରା ପାଳନ କରନ୍ତୁ। କରମର୍ଦ୍ଦନ ବା ଆଲିଙ୍ଗନ ବଦଳରେ ହାତଯୋଡ଼ି ନମସ୍କାର ମୁଦ୍ରାରେ ଅଭିବାଦନ କରନ୍ତୁ। ଫୁଲତୋଡ଼ା ଉପହାର ଦେବା ଓ ନେବା ବଦଳରେ ବହି ଓ କଲମ ଦିଅନ୍ତୁ ବା ନିଅନ୍ତୁ। ସାଧୁତା, ସଚ୍ଚୋଟତା ଓ ସ୍ବଚ୍ଛତା ରକ୍ଷା କରନ୍ତୁ। ଯେଉଁ ମନ୍ତ୍ରଣାଳୟ ବା ବିଭାଗର ଦାୟିତ୍ବ ମିଳିଛି ତାହାର ସମସ୍ତ କାର୍ଯ୍ୟ ନିଷ୍ଠାର ସମ୍ପନ୍ନ କରନ୍ତୁ, ଅର୍ଥାତ୍ କାର୍ଯ୍ୟ ସମ୍ପାଦନରେ ବିଳମ୍ବ କରନ୍ତୁ ନାହିଁ। ତା’ ସହ ତେଜସ୍ବୀଙ୍କ ଶେଷ ନିବେଦନ ହେଉଛି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଯେକୌଣସି ପ୍ରକାର ଉନ୍ନୟନମୂଳକ କାର୍ଯ୍ୟକୁ ସୋସିଆଲ ମିଡ଼ିଆରେ ପ୍ରମୋଟ କରିବା, ଯାହାଦ୍ବାରା ସାଧାରଣ ଲୋକମାନେ ସୂଚନା ପାଇପାରିବେ। ବିହାରରେ ଲାଲୁଙ୍କ ଜଙ୍ଗଲରାଜ ପୁଣି ଫେରିଲା ବୋଲି ଅଭିଯୋଗ ଉଠିଥିବାରୁ ଲୋକଙ୍କ ମନ ପରିବର୍ତ୍ତନ ପାଇଁ ତେଜସ୍ବୀ ଏପରି ଅନୁରୋଧ କରିଥିବା କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/Tejashwi.jpg)