ମମତାଙ୍କୁ ଭେଟିଲେ ତେଜସ୍ବୀ: ଲାଲୁଙ୍କ ନିଷ୍ପତ୍ତି ପରେ ତୃଣମୂଳକୁ ଆର୍‌ଜେଡିର ସମର୍ଥନ

ପାଟନା: ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ମଇଦାନକୁ ଓହ୍ଲାଇବ। ଏହି ନିର୍ବାଚନୀ ରଣାଙ୍ଗନରେ ନିଜର ସାଥୀ ବି ସ୍ଥିର କରି ସାରିଛି ଦଳ। ବଙ୍ଗଳାରେ ଆର୍‌ଜେଡି ତୃଣମୂଳ କଂଗ୍ରେସକୁ ସମର୍ଥନ କରିବ। ଆଜି ପଶ୍ଚିମବଙ୍ଗର ନବାନ୍ନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ତେଜସ୍ବୀ ଯାଦବ ସାକ୍ଷାତ କରିଛନ୍ତି। ସାକ୍ଷାତ ପରେ ତେଜସ୍ବୀ ସ୍ପଷ୍ଟ କରିଛନ୍ତି, ଯେଉଁଠି ଦରକାର ପଡ଼ିବ ଆମେ ମମତାଙ୍କ ସହ ଛିଡ଼ା ହେବୁ।

ମମତାଙ୍କ ସହ ସାକ୍ଷାତ ପରେ ଗଣମାଧ୍ୟମକୁ ସୂଚନା ଦେଇ ତେଜସ୍ବୀ କହିଛନ୍ତି, ‌ ବଙ୍ଗଳାରେ ବିଜେପିର ଅଗ୍ରଗତି ରୋକିବା ଆମର ପ୍ରଥମ ଚେଷ୍ଟା। ମମତାଙ୍କୁ ଜିତାଇବା ପାଇଁ ଆମେ ଉଦ୍ୟମ କରିବୁ। ବିଜେପି ଦେଶବାସୀଙ୍କୁ ଠକି ଚାଲିଛି। ବିଧାନସଭା ନିର୍ବାଚନରେ ମମତାଙ୍କୁ ପୂର୍ଣ୍ଣ ସମର୍ଥନ କରିବାକୁ ଆର୍‌‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ନିଷ୍ପତ୍ତି ନେଇଛନ୍ତି। ତେଣୁ ବଙ୍ଗଳାରେ ଆର୍‌ଜେଡି ତୃଣମୂଳକୁ ସମର୍ଥନ କରୁଛି। ତେଜସ୍ବୀଙ୍କ ସହ ସାକ୍ଷାତ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଆମେ ନିର୍ବାଚନ ଲଢ଼ୁଛୁ ଅର୍ଥ ତେଜସ୍ବୀ ଭାଇ ଲଢ଼ୁଛନ୍ତି। ତେଜସ୍ବୀ ଭାଇ ଲଢ଼ୁଛନ୍ତି ମାନେ ଆମେ ଲଢ଼ୁଛୁ। ଏ ବାର୍ତ୍ତା ବିଜେପି କାନରେ ପଡ଼ିବା ଦରକାର। ବିହାରରେ ବିଜେପି ସରକାର ତିଷ୍ଠି ପାରିବ ନାହିଁ। ବଙ୍ଗଳାରେ ବି ବିଜେପିକୁ କିଛି ମିଳିବ ନାହିଁ ବୋଲି ମମତା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର