ପ୍ରବାସୀ ପ୍ରସଙ୍ଗ ଉଠାଇ ନୀତୀଶଙ୍କୁ ଘେରିଲେ ତେଜସ୍ୱୀ

ନଭେମ୍ବର ୯ରେ ଲାଲୁ ଜେଲ୍‌ରୁ ବାହାର‌ିବେ, ପରଦିନ ନୀତୀଶ ବିଦାୟ ନେବେ: ‌ତେଜସ୍ବୀ

ପାଟନା : ଆର୍‌ଜେଡି ନେତା ତେଜସ୍ବୀ ଯାଦବ ଆଜି ନାୱଡ଼ା ଜିଲ୍ଲାରେ ଏକ ର‍୍ୟାଲି କରି ଜେଡିୟୁ ସୁପ୍ରିମୋ ନୀତୀଶ କୁମାରଙ୍କ ଉପରେ ପ୍ରବ‌ଳ ବର୍ଷିଛନ୍ତି। ପ୍ରବାସୀ ଶ୍ରମିକଙ୍କ ସଙ୍କଟ ପ୍ରସଙ୍ଗରେ ତେଜସ୍ବୀ ଆଜି କହିଛନ୍ତି, ବିହାରର ପ୍ରବାସୀ ଶ୍ରମିକମାନେ ରାଜ୍ୟକୁ ଫେରିବାପାଇଁ ସଂଘର୍ଷ କରୁଥିବା ବେଳେ ସେ ସମୟରେ ନୀତୀଶ କରୋନା ଭୟରେ ଘରେ ଲୁଚି ରହିଥିଲେ। ନୀତୀଶ ପ୍ରାୟ ୮୪ ଦିନ ଘରେ ରହିବାପରେ ଶେଷରେ ତାଙ୍କ ସେଠାରୁ ମାତ୍ର ୨୦ ମିଟର ଦୂର ଅଫିସ୍‌ ସଚିବାଳୟକୁ ଜୁନ୍‌ ପ୍ରାରମ୍ଭରେ ଆସିଥିଲେ। ଏହାପରେ ମଧ୍ୟ ସେ ଘରେ ହିଁ ରହିଥିଲେ। ପାଖାପାଖି ୧୪୪ ଦିନ ସେ ମୁଖ୍ୟମନ୍ତ୍ରୀ ନିବାସରେ ରହିଛନ୍ତି। କିନ୍ତୁ ଏବେ ସେ ଘର ବାହାରକୁ ବାହାରୁଛନ୍ତି କାହିଁକି ? ସେତେବେଳେ କରୋନା ଥିଲା , ଏବେ ବି କରୋନା ଅଛି। ଏବେ ସେ କେବଳ ଭୋଟ୍‌ ପାଇଁ ବାହାରକୁ ଆସୁଛନ୍ତି ବୋଲି ତେଜସ୍ବୀ କହିଛନ୍ତି।

ପ୍ରବାସୀ ସଙ୍କଟ ପ୍ରସଙ୍ଗରେ ମଧ୍ୟ ତେଜସ୍ବୀ ନୀତୀଶଙ୍କୁ ଟାର୍ଗେଟ୍‌ କରିଛନ୍ତି। ତେଜସ୍ବୀ କହିଛନ୍ତି, ଲକ୍‌ଡାଉନ୍‌ ପରେ ୩୨ ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକ ବିହାରକୁ ଫେରିଛନ୍ତି। ରାଜ୍ୟ ସରକାର ସେମାନଙ୍କୁ ଚାକିରି ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଅନେକଙ୍କ ପାଖରେ ଏବେ ବି କାମ ନାହିଁ। ତେଜସ୍ବୀ କହିଛନ୍ତି ବିହାରର ଜନନେତା ଲାଲୁ ଯାଦବ ଆସନ୍ତା ନଭେମ୍ବର ୯ ତାରିଖରେ ଜେଲ୍‌ରୁ ବାହାରିବେ। ଏହାର ପରଦିନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଦାୟ ନେବେ। ବିହାର ନିର୍ବାଚନରେ ମେଣ୍ଟର ବିଜୟ ହେବ ବୋଲି ତେଜସ୍ବୀ ଦୃଢ଼ୋକ୍ତି ବାଢ଼ିଛନ୍ତି। ତେଜସ୍ବୀ କହିଛନ୍ତି, ଅନ୍ୟ ଏକ ମାମଲାରେ ତାଙ୍କ ପିତା ଲାଲୁଙ୍କୁ ତାଙ୍କୁ ନଭେମ୍ବର ୯ରେ ଜାମିନ ମିଳିବ।

ସମ୍ବନ୍ଧିତ ଖବର