୧୦ ଲକ୍ଷ ଯୁବକଙ୍କୁ ସରକାରୀ ନିଯୁକ୍ତି ଦେବାର ପ୍ରତିଶୃତି ପରେ ଅବସର ବୟସକୁ ନେଇ ବୟାନ ଦେଲେ ତେଜସ୍ୱୀ

ନୂଆଦିଲ୍ଲୀ: ବିହାରରେ ବିଧାନସଭା ନିର୍ବାଚନରରେ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତଥା ଆରଜେଡିର ତାରକା ପ୍ରଚାରକ ତେଜସ୍ୱୀ ଯାଦବ ୧୦ ଲକ୍ଷ ଚାକିରି ପରେ ଆଉ ଏକ ବଡ ଘୋଷଣା କରିଛନ୍ତି। ତେଜସ୍ୱୀ ଯାଦବ କହିଛନ୍ତି ଯେ ଯଦି ଆମ ସରକାର ଗଠନ ହୁଏ ତେବେ ଆମେ ୫୦ ବର୍ଷ ମଧ୍ୟରେ ଥିବା ଅବସର ବୟସ ସୀମାକୁ ଶେଷ କରିବୁ। ପାଟନାରେ ବିଜେପି ଏବଂ ନୀତିଶ କୁମାରଙ୍କୁ ଆକ୍ରମଣ କରି ତେଜସ୍ୱୀ କହିଛନ୍ତି ଯେ ନୀତିଶ ଏବଂ ବିଜେପି ସରକାର ୫୦ ବର୍ଷର ସମୟସୀମା ଧାର୍ଯ୍ୟ କରି ସରକାରୀ କର୍ମଚାରୀଙ୍କୁ ଅବସର ନେବାକୁ ନିର୍ଦ୍ଦେଶ ଦେଇଛନ୍ତି, କିନ୍ତୁ ନିଜେ ୭୦ ବର୍ଷରୁ ଅଧିକ ବୟସରେ ବି ନିର୍ବାଚନ ଲଢ଼ୁଛନ୍ତି ।

ସେ କହିଛନ୍ତି ଯେ ଯଦି ଆମ ସରକାର ଗଠନ ହୁଏ ତେବେ ଆମେ ୫୦ ବର୍ଷରେ ଅବସର ନିଷ୍ପତ୍ତିକୁ ଶେଷ କରିବୁ। ଏହା ପୂର୍ବରୁ କ୍ଷମତାକୁ ଆସିଲେ ୧୦ ଲକ୍ଷ ବିହାରବାସୀଙ୍କୁ ସରକାରୀ ଚାକିରି ଦେବେ ବୋଲି ଆର୍‌ଜେଡି ନେତା ତେଜସ୍ବୀ ଯାଦବ ଘୋଷଣା କରିଥିଲେ |ଆଉ ତେଜସ୍ବୀଙ୍କ ଏ ପ୍ରତିଶ୍ରୁତି ଏକ ପ୍ରହସନ ବୋଲି ନୀତିଶ କହିବା ସହ ଏହା ଭୋଟରଙ୍କୁ ବିଭ୍ରାନ୍ତି କରିବ ବୋଲି କହିଥିଲେ । ବିଜେପି ନିଜର ନିର୍ବାଚନୀ ଇସ୍ତାହାରରେ ୪ ଲକ୍ଷ ସରକାରୀ ଚାକିରି ଓ ୧୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଘୋଷଣା କରିଛି।

୧୯୯୦ରୁ ୨୦୦୫ ଯାଏ ବିହାରରେ ଲାଲୁ ପ୍ରସାଦ ଯାଦବ ଓ ରାବ୍ରୀ ଦେବୀ ମାତ୍ର ୯୫ ହଜାର ଚାକିରି ସୃଷ୍ଟି କରିବାରେ ସମର୍ଥ ହୋଇଥିବାବେଳେ ତାଙ୍କ ପୁଅ ତେଜସ୍ବୀ କିଭଳି ୧୦ ଲକ୍ଷ ସରକାରୀ ଚାକିରି ସୃଷ୍ଟି କରିବେ ବୋଲି ନୀତିଶ ପ୍ରଶ୍ନ କରିଥିଲେ ।ସୂଚନା ଥାଉ କି ବିହାରରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମଙ୍ଗଳବାର ଅର୍ଥାତ୍ ନଭେମ୍ବର ୩ ରେ ଅନୁଷ୍ଠିତ ହେବାକୁ ଥିବାବେଳେ ଶେଷ ପର୍ଯ୍ୟାୟ ମତଦାନ ୭ ନଭେମ୍ବରରେ ହେବ | ବିଧାନସଭା ନିର୍ବାଚନର ଫଳାଫଳ ୧୦ ନଭେମ୍ବରରେ ଆସିବ |

ସମ୍ବନ୍ଧିତ ଖବର