ଲାଲୁଙ୍କ ପରିବାରରେ ତୀବ୍ର ହେଲା ଝଗଡା, ଦଳରୁ ଇସ୍ତଫା ଦେବାର ଧମକ ଦେଲେ ବଡପୁଅ

ପାଟନା: ତୀବ୍ର ହେବାରେ ଲାଗିଛି ଆରଜେଡି ସୁପ୍ରିମୋ ଲାଲୁଙ୍କ ପରିବାରରେ ଝଗଡା | ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ସୋମବାର ରାତିରେ ହଠାତ୍ ଆରଜେଡିରୁ ଇସ୍ତଫା ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ସାନ ଭାଇ ତେଜସ୍ବୀଙ୍କୁ ଅର୍ଜୁନ କହି ନିଜକୁ ସାରଥୀ କୃଷ୍ଣ ବୋଲି ତୁଳନା କରୁଥିବା ତେଜପ୍ରତାପଙ୍କ ଟ୍ୱିଟ ଏବେ ଲାଲୁଙ୍କ ପରିବାରରେ ମହାଭାରତ ସୃଷ୍ଟି କରିଛି | ସୂଚନା ମୁତାବକ ଗତକାଲି ରାତିରେ ତେଜପ୍ରତାପ ଯାଦବ ଘୋଷଣା କରିଛନ୍ତି ଯେ ଲାଲୁଙ୍କୁ ଭେଟି ସେ ତାଙ୍କ ଇସ୍ତଫା ପତ୍ର ଦାଖଲ କରିବେ |


ଆରଜେଡି ଯୁବ ନେତା ରାମରାଜ ଲାଲୁ-ତେଜସ୍ୱୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହେବାର କିଛି ଘଣ୍ଟା ପରେ ତେଜପ୍ରତାପ ଯାଦବ ଟ୍ୱିଟରରେ ଲେଖିଛନ୍ତି, “ମୁଁ ମୋ ବାପାଙ୍କ ପଦାଙ୍କ ଅନୁସରଣ କରିଛି। ସମସ୍ତ କର୍ମୀଙ୍କୁ ସମ୍ମାନ ଜଣାଇ ମୁଁ ମୋର ପିତାଙ୍କୁ ଭେଟିବା ପରେ ଶୀଘ୍ର ଇସ୍ତଫା ଦେବି। ”ଏହି ଟ୍ୱିଟରେ ସେ ବାପା ଲାଲୁ ଯାଦବ, ମା ରାବିଡି ଦେବୀ, ଭାଇ ତେଜସ୍ୱୀ ଯାଦବ ଏବଂ ଭଉଣୀ ମିସା ଭାରତୀଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି।

କିଛି ସମୟ ପରେ ସେ ଫେସବୁକରେ ମା ରାବିଡି ଦେବୀଙ୍କ ସହିତ ଏକ ଫଟୋ ମଧ୍ୟ ସେୟାର କରିଥିଲେ | ଆଉ କୁହାଯାଉଛି ଯେ ତେଜପ୍ରତାପ ଏହି ଛବି ମାଧ୍ୟମରେ ସୂଚାଇବାକୁ ଚେଷ୍ଟା କରିଛନ୍ତି ଯେ ତାଙ୍କ ପାରିବାରିକ କଳହରେ ତାଙ୍କ ମା ତାଙ୍କ ସହ ଅଛନ୍ତି।

ସମ୍ବନ୍ଧିତ ଖବର