ପେନ ବିକୁଥିବା ଝିଅକୁ ପାଠ ପଢିବା ପାଇଁ ଆଇଫୋନ ଉପହାର ଦେଲେ ଲାଲୁଙ୍କ ପୁଅ

ପାଟନା: ନେତା ହେବ ତ ଏମିତି | ନିଜର ସ୍ୱଭାବ ଓ ଭାବଭଙ୍ଗୀକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ | ଏବେ ତେଜ ପ୍ରତାପ ଏଭଳି କିଛି କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ସେ ରାସ୍ତାରେ ବୁଲି ବୁଲି ପେନ ବିକୁଥିବା ଜଣେ ଝିଅକୁ ଅନଲାଇନରେ ପାଠ ପଢିବାକୁ ୫୦ ହଜାର ଟଙ୍କାର ଦାମୀ ଆଇଫୋନ ଉପହାର ଭାବେ ଦେଇଛନ୍ତି | ମିଳିଥିବା ସୂଚନା ମୁତାବକ ଶନିବାର ଦିନ ତେଜ ପ୍ରତାପ ପାଟନା ବୋରିଙ୍ଗ ରୋଡରେ ଥିବା ଏକ ମିଠା ଦୋକାନକୁ ଯାଇଥିଲେ। ଏହି ସମୟରେ ମେଘା ନାମକ ଝିଅଟିଏ ପୁଳାଏ କଲମ ଧରି ତାଙ୍କ ପାଖକୁ ଆସିଥିଲା | ଆଉ ପେନ କିଣିବାକୁ ଅନୁରୋଧ କରିଥିଲା |

ଏହି ଦୃଶ୍ୟ ଦେଖି ତେଜ ପ୍ରତାପ ମେଘା ସହ କଥା ହୋଇଥିଲେ | ମେଘା ତେଜଙ୍କୁ କହିଥିଲା ଯେ ତାଙ୍କ ବାପା ଏକ ଅଟୋ ଚଳାଉଛନ୍ତି। ସେ ବିଦ୍ୟାଳୟକୁ ଯାଆନ୍ତି ନାହିଁ, କିନ୍ତୁ ଟ୍ୟୁସନ ଯାଇଥାନ୍ତି | ବାର୍ତ୍ତାଳାପ ସମୟରେ ତେଜ ପ୍ରତାପ ମେଘାଙ୍କୁ ତାଙ୍କ ନମ୍ବର ଦେବାକୁ କହିଥିଲେ | କିନ୍ତୁ ମେଘା କହିଥିଲେ ଯେ ତାଙ୍କ ପାଖରେ ମୋବାଇଲ୍ ନାହିଁ। ତେଜ ପ୍ରତାପ ସଙ୍ଗେ ସଙ୍ଗେ ତାଙ୍କୁ ନେଇ ଏକ ମୋବାଇଲ ଦୋକାନରେ ପହଞ୍ଚିଥିଲେ |

ତେଜ ପ୍ରତାପ ୫୦ ହଜାର ଟଙ୍କାର ଏକ ଆଇଫୋନ୍ କିଣି ତାଙ୍କୁ ଉପହାର ଦେଇଥିଲେ | ମୋବାଇଲ୍ ଦେବା ପରେ ତେଜ କୁନି ଝିଅକୁ କହିଥିଲେ, ‘ଫୋନ ସାହାଯ୍ୟରେ ମନ ଲଗାଇ ପାଠ ପଢ଼ିବୁ | କମ ଖେଳିବୁ ‘| ତେବେ ମେଘା କହିଛନ୍ତି ଯେ ଆଇଫୋନ୍ କିଣିଥିବା ବ୍ୟକ୍ତି କିଏ ମୁଁ ଜାଣେ ନାହିଁ। ପରେ ଲୋକମାନେ କହିଥିଲେ ଯେ ସେ ଲାଲୁ ଯାଦବଙ୍କ ପୁତ୍ର ତେଜ ପ୍ରତାପ ଯାଦବ | ତେଜ ପ୍ରତାପ ଯାଦବ ଝିଅକୁ ନିଜ ମୋବାଇଲ ନମ୍ବର ଦେବା ସହ ଆଇଫୋନ୍ କିପରି କାମ କରେ ଏବଂ ଏହାକୁ କିପରି ଚାର୍ଜ କରାଯିବ ତାହା ମଧ୍ୟ କହିଥିଲେ |

ସମ୍ବନ୍ଧିତ ଖବର