ଭାଙ୍ଗିଲା ତେଲେଙ୍ଗାନା ବିଧାନସଭା

ବର୍ଷ ଶେଷରେ ହେବ ନିର୍ବାଚନ

ହାଇଦ୍ରାବାଦ: ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର୍‌) ଗୁରୁବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟରେ ଆଗୁଆ ନିର୍ବାଚନ ଲକ୍ଷ୍ୟରେ ବିଧାନସଭାକୁ ଭାଙ୍ଗିଦେବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କ ଏ ସଂକ୍ରାନ୍ତ ସୁପାରିସକୁ ରାଜ୍ୟପାଳ ଇ ଏସ୍‌ ଏଲ୍‌ ନରସିଂହମ୍‌ ମଂଜୁରି ଦେଇଛନ୍ତି। ଏଥିସହ କେସିଆର୍‌ଙ୍କୁ ସରକାରଙ୍କ କେୟାରଟେକର ଭାବେ ନିଯୁକ୍ତି ଦେଇଛନ୍ତି। ତେଣୁ ବର୍ଷ ଶେଷ ବେଳକୁ ୪ଟି ରାଜ୍ୟ ବିଧାନସଭା ନିର୍ବାଚନ ସମୟରେ ତେଲେଙ୍ଗାନାରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବା ନେଇ ସ୍ପଷ୍ଟ ହୋଇଯାଇଛି।

ଚଳିତବର୍ଷ ଶେଷ ବେଳକୁ ତେଲେଙ୍ଗାନା ବିଧାନସଭା ନିର୍ବାଚନ କରାଇବାକୁ କେସିଆର୍‌ ଚାହୁଥିଲେ। ତେଣୁ କାର୍ଯ୍ୟକାଳ ଶେଷହେବାକୁ ଆଉ କିଛି ମାସ ବାକି ଥିବା ସତ୍ତ୍ୱେ ସେ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଗୁରୁବାର କେସିଆର୍‌ ନିଜ ମନ୍ତ୍ରୀମଣ୍ଡଳର ଜରୁରୀ ବୈଠକ ଡକାଇ ଏ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଦଳର ବରିଷ୍ଠ ନେତୃବୃନ୍ଦଙ୍କ ସହିତ ବିଚାରବିମର୍ଶ କରି ବିଧାନସଭାକୁ ଭଂଗ କରିବାକୁ ଶେଷରେ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତି ପରେ କେସିଆର୍‌ ଅନ୍ୟ ମନ୍ତ୍ରୀମାନଙ୍କ ସହିତ ଆଜି ରାଜଭବନ ଯାଇ ରାଜ୍ୟପାଳ ନରସିଂହମ୍‌ଙ୍କୁ ବିଧାନସଭା ଭଂଗ ପାଇଁ ସୁପାରିସ କରିଥିଲେ। ରାଜ୍ୟପାଳ ଏହାକୁ ଗ୍ରହଣ କରିବା ସହିତ ମଂଜୁରି ପ୍ରଦାନ କରିଥିଲେ। ଉଲ୍ଲେଖଯୋଗ୍ୟ, ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ସହିତ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଏକାଠି ହେବ ବୋଲି ନିର୍ଦ୍ଧାରିତ ହୋଇଥିଲା। କିନ୍ତୁ ଉଭୟ ନିର୍ବାଚନ ଏକସଙ୍ଗେ କରାଇବା ପରିବର୍ତ୍ତେ ରାଜ୍ୟ ବିଧାନସଭା ନିର୍ବାଚନ ଆଗୁଆ ହେଲେ ଦଳ ଟିଆର୍‌ଏସ୍‌ (ତେଲେଙ୍ଗାନା ରାଷ୍ଟ୍ର ସମିତି) ଅଧିକ ଲାଭରେ ରହିବ ବୋଲି କେସିଆର୍‌ ବିଚାର କରିଥିଲେ। ୨୦୧୪ ମେ ମାସରେ ହୋଇଥିବା ବିଧାନସଭା ନିର୍ବାଚନରେ ଟିଆର୍‌ଏସ୍‌ କ୍ଷମତାକୁ ଆସିଥିଲା ଏବଂ କେସିଆର୍‌ ମୁଖ୍ୟମନ୍ତ୍ରୀ ଭାବେ ଶାସନ କ୍ଷମତା ହାତକୁ ନେଇଥିଲେ। ୧୧୯ ସଦସ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭାରେ ଟିଆର୍‌ଏସ୍‌ ୬୩ ଆସନ ଅକ୍ତିଆର କରିଥିଲା। ଜ୍ୟୋତିଷ ଶାସ୍ତ୍ରରେ ବିଶେଷ ବିଶ୍ୱାସ ରଖୁଥିବା କେସିଆର୍‌ ନିଜ ପାଇଁ ୬ ଅଂକକୁ ବହୁତ ଶୁଭ ମାନନ୍ତି। ତେଣୁ ସେପ୍ଟେମ୍ବର ୬ ତାରିଖ (ଆଜି)ରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ବର୍ଷ ଶେଷ ବେଳକୁ ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ଼ ଏବଂ ମିଜୋରାମ୍‌ରେ ଏକସଂଗେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ସେପ୍ଟେମ୍ବର ୨ ତାରିଖରେ କେସିଆର୍‌ ନିଜର ଏକ ଜନସମାବେଶରେ ଉପସ୍ଥିତ ଲକ୍ଷ ଲକ୍ଷ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥିଲେ। ସେ କହିଥିଲେ, ‘ମୁଁ ଶପଥ କରୁଛି ଯେ ଯଦି ନିର୍ବାଚନ ପୂର୍ବରୁ ମିସନ୍‌ ‘ଭାଗୀରଥ’ ଜରିଆରେ ପ୍ରତ୍ୟେକ ଘରକୁ ପାଣି ନପହଂଚେ, ତେବେ ମୁଁ ନିର୍ବାଚନ ଲଢ଼ିବି ନାହିଁ। ’

ସମ୍ବନ୍ଧିତ ଖବର