ହାଇଦ୍ରାବାଦ : ଏସ୍ଏସ୍ସି ହିନ୍ଦୀ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ତେଲେଙ୍ଗାନା ବିଜେପି ମୁଖ୍ୟ ତଥା ସାଂସଦ ବନ୍ଦି ସଞ୍ଜୟ କୁମାରଙ୍କୁ ଗିରଫ କରାଯାଇଛି। ରାଜ୍ୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତର ଅବ୍ୟବହିତ ପୂର୍ବରୁ ସଞ୍ଜୟଙ୍କୁ ତାଙ୍କ କରିମନଗର ବାସଭବନରେ କିଛି ଘଣ୍ଟା ଅଟକ ରଖାଯିବା ପରେ ଗିରଫ କରାଯାଇଥିଲା।
ତେଲେଙ୍ଗାନା ସରକାରଙ୍କ ଉକ୍ତ ପଦକ୍ଷେପକୁ ରାଜ୍ୟ ବିଜେପି ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି। ମାଟ୍ରିକ୍ ପରୀକ୍ଷାର ହିନ୍ଦୀ ପ୍ରଶ୍ନପତ୍ର ମଙ୍ଗଳବାର ୱାରାଙ୍ଗଲଠାରେ ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ଲିକ୍ ହୋଇଥିବା ଅଭିଯୋଗ ହୋଇଥିଲା। ତା’ର ଦିନକ ପୂର୍ବରୁ ସୋମବାର ଆଉ ଏକ ପ୍ରଶ୍ନପତ୍ର ମଧ୍ୟ ଲିକ୍ ହୋଇଥିଲା।
ପୁଲିସର କହିବା ଅନୁସାରେ ହିନ୍ଦୀ ପରୀକ୍ଷା ଆରମ୍ଭ ହେବା ପରେ ଜନୈକ ପୂର୍ବତନ ସାମ୍ବାଦିକ ବୁରାମ ପ୍ରଶାନ୍ତଙ୍କ ଦ୍ବାରା ପ୍ରଶ୍ନପତ୍ରର ଫଟୋ କପି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ସେ ଜଣେ ବିଜେପି କର୍ମୀ ହୋଇଥିବାରୁ ବିଜେପି ମୁଖ୍ୟ ବନ୍ଦି ସଞ୍ଜୟଙ୍କୁ ଅଟକ ରଖାଯାଇଛି। ତେବେ ସଞ୍ଜୟଙ୍କ ଗିରଫ ବାବଦରେ ପୁଲିସ ପକ୍ଷରୁ ଏଯାଏ ସରକାରୀ ଭାବେ କୌଣସି ବିବୃତି ପ୍ରକାଶ କରାଯାଇ ନାହିଁ। ଆଜି ତାଙ୍କୁ ଡାକ୍ତରୀ ପରୀକ୍ଷା ପରେ ୱାରାଙ୍ଗଲ କୋର୍ଟରେ ହାଜର କରାଯାଇଥିବା ଜଣାପଡ଼ିଛି। ଉକ୍ତ ହିନ୍ଦୀ ପ୍ରଶ୍ନପତ୍ର ଲିକ୍ ମାମଲାରେ ବୁରାମ ପ୍ରଶାନ୍ତ, ଜନୈକ ଡ୍ରାଇଭର ମୌତମ ଶିବ ଗଣେଶ ଏବଂ ଜଣେ ୧୬ ବର୍ଷର ବାଳକଙ୍କୁ ମଧ୍ୟ ଗିରଫ କରାଯାଇଛି।