ନୂଆଦିଲ୍ଲୀ: ଶୁଣାଣିର କିଛି ସମୟ ପରେ ବଦଳିଲା ରାୟ। ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ବିଧାୟକ ଟି ରାଜାଙ୍କୁ ମିଳିଲା ଜାମିନ। ପ୍ରଫେଟ ମହମ୍ମଦଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଇ ଗିରଫ ହୋଇଥିବା ତେଲେଙ୍ଗାନା ବିଜେପି ବିଧାୟକ ଟି ରାଜା ସିଂଙ୍କୁ ୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ କୋର୍ଟ। ୧୪ଦିନ ପାଇଁ ସିଂଙ୍କୁ ହାଇଦ୍ରାବାଦର ଚଞ୍ଚଲଗୁଡା କେନ୍ଦ୍ରୀୟ କାରାଗାରରେ ରଖାଯିବ ବୋଲି ଜଣାପଡ଼ିଥିଲା। ହେଲେ ଏବେ ତାଙ୍କୁ ଜାମିନ ମିଳିଛି।
ଟି ରାଜାଙ୍କୁ ଗିରଫ ସମୟରେ ସିଆରପିସି ଧାରା ୪୧ର ପାଳନ କରାଯାଇନଥିବା ଜାଣି କୋର୍ଟ ତାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଧାୟକଙ୍କୁ ଏଭଳି ଭୁଲ ଆଗକୁ ନକରିବାର ଚେତାବନୀ ଦିଆଯାଇ ମୁକ୍ତ କରାଯାଇଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ସୋମବାର ଦିନ ବିଜେପି ବିଧାୟକ ଷ୍ଟାଣ୍ଡ ଅପ୍ ହାସ୍ୟ ଅଭିନେତା ମୁନାୱର ଫାରୁକିଙ୍କୁ ସମାଲୋଚନା କରୁଥିବାର ଏକ ଭିଡିଓ ଜାରି କରିଥିଲେ। ସେଥିରେ ସେ ଇସଲାମ ବିରୋଧରେ କହୁଥିବା ସହ ପ୍ରଫେଟ ମହମ୍ମଦଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଉଥିବା ଦେଖାଯାଇଥିଲା। ଭିଡିଓ ଭାଇରାଲ ହେବା ପରେ ସମ୍ପ୍ରଦାୟର ଅନେକ ଲୋକ ରାଜା ସିଂଙ୍କ ଗିରଫ ଦାବିରେ ସହରର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଥିଲା। ତାଙ୍କ ବିରୋଧରେ ବହୁ ସଂଖ୍ୟକ ମୁସଲମାନ ଯୁବକ ଗତକାଲି ରାତିରେ ହାଇଦ୍ରାବାଦସ୍ଥିତ କମିଶନରଙ୍କ କାର୍ଯ୍ୟାଳୟ ବାହାରେ ଏକତ୍ରିତ ହୋଇ ‘ସର ତନ ସେ ଜୁଦା’ର ସ୍ଲୋଗାନ ଦେଇଥିଲେ। ପରିସ୍ଥିତି ବିଗୁଡ଼ୁଥିବା ଦେଖି ଟି ରାଜାଙ୍କୁ ପୁଲିସ ଗିରଫ କରିବା ସହ ବିଜେପି ମଙ୍ଗଳବାର ତାଙ୍କୁ ଦଳରୁ ହଟାଇ ଦେଇଥିଲା। ଦଳରୁ ନିଲମ୍ବିତ କରିବା ସହ ତାଙ୍କୁ କାହିଁକି ବହିଷ୍କାର କରାଯିବ ନାହିଁ ତାହାର କାରଣ ଦର୍ଶାଇବାକୁ ପାର୍ଟି ତାଙ୍କୁ ୧୦ଦିନ ସମୟ ଦେଇଛି।