ନୂଆଦିଲ୍ଲୀ: ଚଳିତମାସରେ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେଉଛି। ପୂର୍ବରୁ ୨୦୧୮ ମସିହାରେ ଏସବୁ ରାଜ୍ୟରେ ନିର୍ବାଚନ ହୋଇଥିଲା। ପୂର୍ବରୁ ‌ହୋଇଥିବା ନିର୍ବାଚନ ତୁଳନାରେ ୨୦୧୮ ନିର୍ବାଚନରେ ପ୍ରାର୍ଥୀଙ୍କ ବିଜୟ ବ୍ୟବଧାନ ଅଧିକ ରହିଥିଲା। ୨୦୧୪ରେ ତେଲେଙ୍ଗାନାରେ ‌ପ୍ରାୟ ୪୨ ପ୍ରତିଶତ ପାର୍ଥୀଙ୍କ ବିଜୟ ବ୍ୟବଧାନ ୨୦ ହଜାରରୁ ଅଧିକ ଥିଲା। କିନ୍ତୁ ୨୦୧୮ରେ ୨୦ ହଜାର ଭୋଟରୁ ଅଧିକ ବ୍ୟବଧାନରେ ଜିତିଥିବା ପାର୍ଥୀଙ୍କ ସଂଖ୍ୟା ପ୍ରାୟ ୬୦ ପ୍ରତିଶତ ଥିଲା। ସେହିଭଳି ଛତିଶଗଡ଼ରେ ୨୨ ପ୍ରତିଶତ ପାର୍ଥୀ ୨୦୧୩ ନିର୍ବାଚନରେ ୨୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିଥିବାବେଳେ ୨୦୧୮ରେ ଏମାନଙ୍କ ସଂଖ୍ୟା ୪୭ ପ୍ରତିଶତକୁ ବୃଦ୍ଧି ପାଇଥିଲା। ୧୧୯ ଆସନ ବିଶିଷ୍ଟ ତେଲେଙ୍ଗାନା ବିଧାନସଭାରେ ୨୦୧୪ ନିର୍ବାଚନରେ ମୋଟ ୫୦ ପ୍ରାର୍ଥୀଙ୍କ ବିଜୟ ବ୍ୟବଧାନ ୨୦ ହଜାରରୁ ଅଧିକ ଥିଲା। କିନ୍ତୁ ୨୦୧୮ ନିର୍ବାଚନରେ ୨୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିଥିବା ପ୍ରାର୍ଥୀଙ୍କ ସଂଖ୍ୟା ୭୦ ରହିଥିଲା।