ନୂଆଦିଲ୍ଲୀ: ତେଲେଙ୍ଗାନାରେ କଂଗ୍ରେସ ବିଜୟୀ ହୋଇଛି। ନିର୍ବାଚନ ଫଳ ଆସିବାକୁ ୨୪ ଘଣ୍ଟା ବିତିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରେ କିଏ ବସିବ ତାହା ସ୍ପଷ୍ଟ ହୋଇନାହିଁ। ଦଳରେ ଏ ନେଇ ସହମତି ହୋଇପାରି ନାହିଁ। ତେବେ ତେଲେଙ୍ଗାନାରେ କଂଗ୍ରେସକୁ ବିଜୟ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ରାଜ୍ୟର ଦଳ ମୁଖ୍ୟ ରେବାନ୍ତ ରେଡ୍ଡୀ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଆଗରେ ଥିବା କୁହାଯାଉଛି। ୫୪ ବର୍ଷୀୟ ରେବାନ୍ତ କେବଳ ବିଆର୍ଏସ୍ର ଜଣେ ପୂର୍ବତନ ସଦସ୍ୟ ନୁହଁନ୍ତି। ସେ ବିଜେପିର ଯୁବ ଶାଖା ଏବିଭିପିର କାର୍ଯ୍ୟକର୍ତ୍ତା ମଧ୍ୟ ଥିଲେ। ଏଥିପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ ଦଳର କିଛି ନେତା ଆପତ୍ତି ଉଠାଇଛନ୍ତି। ରେବାନ୍ତ ରେଡ୍ଡୀ ଦୁଇଟି ଆସନରୁ ନିର୍ବାଚନ ଲଢ଼ିଥିଲେ ମଧ୍ୟ କୋଡ଼ଙ୍ଗଲ ଆସନରୁ ବିଜୟୀ ହୋଇଥିବାବେଳେ କାମାରେଡ୍ଡୀ ଆସନରୁ ପରାଜିତ ହୋଇଛନ୍ତି। ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟାରେ ସରକାରଙ୍କ ଶପଥ ଗ୍ରହଣ ପାଇଁ ଯୋଜନା ହୋଇଥିଲା। କିନ୍ତୁ ତାହାକୁ ଘୁଞ୍ଚାଇ ଦିଆଯାଇଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଦଳର ପର୍ଯ୍ୟବେକ୍ଷକମାନଙ୍କ ସହିତ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବେ ବୋଲି କୁହାଯାଉଛି। ପର୍ଯ୍ୟବେକ୍ଷକମାନେ ମଙ୍ଗଳବାର ଦିଲ୍ଲୀ ଯିବା କାର୍ଯ୍ୟକ୍ରମ ରହିଛି।
ରେବାନ୍ତଙ୍କ ସହିତ ଅନ୍ୟ ଦୁଇଜଣ ମୁଖ୍ୟମନ୍ତ୍ରୀ ଚୌକି ପାଇଁ ଦାବିଦାର ଅଛନ୍ତି। ସେମାନେ ହେଲେ ଦଳିତ ନେତା ମଲ୍ଲୁ ଭଟ୍ଟି ବିକ୍ରମାର୍କା ଏବଂ ଅନ୍ୟ ଜଣେ ହେଲେ ୭ ଥରର ବିଧାୟକ ଉତ୍ତମ କୁମାର ରେଡ୍ଡୀ। ରେବାନ୍ତ ରାଜ୍ୟ କଂଗ୍ରେସ ମୁଖ୍ୟ ହେବା ପୂର୍ବରୁ ସେ ତେଲେଙ୍ଗାନାରେ ଦଳର ମଙ୍ଗୁଆଳ ଥିଲେ।