ହାଇଦ୍ରାବାଦ: ଦେଶରେ ଜାରି ରହିଥିବା ମହାମାରୀ କୋଭିଡ୍‌-୧୯ ଦ୍ବିତୀୟ ଲହର ସଂକ୍ରମଣ ଅବସରରେ ତେଲେଙ୍ଗାନାରେ ଅଧିକ ସଂଖ୍ୟକ ଶିଶୁ କରୋନାଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନାରୁ ଜଣାଯାଇଛି। ଚଳିତ ବର୍ଷ ମାର୍ଚ୍ଚରୁ ମେ' ମାସ ଭିତରେ ରାଜ୍ୟର ମୋଟ ୩୭,୩୩୨ ଜଣ ଶୂନ୍‌ରୁ ୧୯ ବର୍ଷ ବୟସର ଶିଶୁ ଏଥିରେ ସଂକ୍ରମିତ ହୋଇଛନ୍ତି। ଅପରପକ୍ଷେ, ଗତବର୍ଷ ମହାମାରୀର ପ୍ରଥମ ଲହର ବେଳେ ଗତ ଅଗଷ୍ଟ ୧୫ରୁ ନଭେମ୍ବର ୧୫ ଭିତରେ ରାଜ୍ୟରେ ଏହି ବର୍ଗର ମୋଟ ୧୯,୮୨୪ ଜଣ ସଂକ୍ରମିତ ହୋଇଥିଲେ।
୧୦ ବର୍ଷରୁ କମ୍‌ ବୟସର ଶିଶୁଙ୍କ କ୍ଷେତ୍ରରେ ମଲ୍ଟିସିଷ୍ଟମ୍‌ ଇନ୍‌ଫ୍ଳାମେଟରି ସିଣ୍ଡ୍ରୋମ୍‌(ଏମ୍‌ଆଇଏସ୍‌) ମାମଲା ଥରକୁ ଥର ବଢ଼ିଚାଲିଥିବାରୁ ତାହା ଚିକିତ୍ସା ବିଶେଷଜ୍ଞଙ୍କ ଚିନ୍ତା ବଢ଼ାଇ ଦେଇଛି।

Advertisment

ଗତ ପ୍ରଥମ ଲହର ବେଳେ ରାଜ୍ୟରେ ୬,୨୫୦ ଏମ୍‌ଆଇଏସ୍‌ ମାମଲା ଥିଲା ବେଳେ ଦ୍ବିତୀୟ ଲହରରେ ବର୍ତ୍ତମାନ ସୁଦ୍ଧା ତାହା ୯,୮୫୮ରେ ପହଞ୍ଚିଛି। ଅବଶ୍ୟ ଦ୍ବିତୀୟ ଲହର ବେଳେ ବୟସ୍କମାନେ ବେଧଡ଼କ ରାସ୍ତାଘାଟରେ ବୁଲିବାରୁ ଘରେ ଶିଶୁମାନେ ଏପରି ଅଧିକ ସଂଖ୍ୟାରେ ଆକ୍ରାନ୍ତ ହେବା ଜଣାଯାଇଛି। ସର୍ବୋପରି ପ୍ରଥମ ଲହର ଅପେକ୍ଷା ଦ୍ବିତୀୟ ଲହରରେ ଏପରି ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ଦୁଇଗୁଣା ବଢ଼ିବା ସହ ଆଗକୁ ସମ୍ଭାବ୍ୟ ତୃତୀୟ ଲହରରେ ଅଧିକ ସଂଖ୍ୟାରେ ଶିଶୁ ପ୍ରଭାବିତ ହେବା ଆଶଙ୍କା ଅଧିକ ଥିବାକୁ ରାଜ୍ୟ ସରକାର ଅନେକ ସତର୍କତାମୂଳକ ପଦକ୍ଷେପ ଆରମ୍ଭ କରିଛନ୍ତି। ବିଶେଷ କରି ଶିଶୁମାନଙ୍କ ପାଇଁ ବିଭିନ୍ନ ଡାକ୍ତରଖାନାମାନଙ୍କରେ ଅଧିକ ୫,୦୦୦ ସଂଖ୍ୟକ ଶଯ୍ୟା ବଢ଼ାଇବା ସହ ସେମାନଙ୍କ ସ୍ବାସ୍ଥ୍ୟସେବାକୁ ଅଗ୍ରାଧିକାର ଦିଆଯାଉଥିବା ମୁଖ୍ୟ ଶାସନ ସଚିବ ସୋମେଶ କୁମାର କହିଛନ୍ତି।