ହାଇଦ୍ରାବାଦ: ତେଲେଙ୍ଗାନାର ୨୯ ବର୍ଷୀୟା ଜଣେ ଡାକ୍ତର ପ୍ରଥମ ତୃତୀୟଲିଙ୍ଗୀ ଭାବେ ମେଡିସିନ୍ରେ ସ୍ନାତକୋତ୍ତର ଡିଗ୍ରୀ (ପିଜି) ସିଟ୍ ପାଇଁ ମନୋନୀତ ହୋଇଛନ୍ତି। ଡକ୍ଟର ରୁଥ୍ ପଲ୍ ଜନ୍ ଇଏସ୍ଆଇ ହସ୍ପିଟାଲ୍ରେ ଏମର୍ଜେନ୍ସି ମେଡିସିନ୍ ପ୍ରୋଗ୍ରାମର ଏମ୍ଡି ଭାବେ କାର୍ଯ୍ୟ କରିବେ। ତାଙ୍କର କାର୍ଯ୍ୟନିଷ୍ଠତା ଓ ଦୃଢ଼ତା ତାଙ୍କୁ ଏହି ସ୍ଥାନରେ ପହଞ୍ଚାଇବାରେ ସାହାଯ୍ୟ କରିଛି। ତାଙ୍କର ଏହି ସଫଳତା ବ୍ୟକ୍ତଗତ ନୁହେଁ, ବରଂ ପୂରା କିନ୍ନର ସଂପ୍ରଦାୟର। ଦୀର୍ଘ ଦିନ ଧରି ତୃତୀୟ ଲିଙ୍ଗୀମାନେ ସମାଜରେ ନ୍ୟାୟ ପାଇଁ ଲଢ଼େଇ କରି ଆସୁଥିବା ବେଳେ ଡକ୍ଟର ରୁଥ୍ ପଲ୍ଙ୍କ ଏହି ସଫଳତା ପୂରା ସଂପ୍ରଦାୟର ସଫଳତା ବୋଲି ସେ ଗଣମାଧ୍ୟମ ସଂସ୍ଥା ‘ଟାଇମ୍ସ ଅଫ୍ ଇଣ୍ଡିଆ’ରେ ନିଜର ସାକ୍ଷାତ୍କାର ଦେଇ କହିଛନ୍ତି।
ସେ କହନ୍ତି କି ଏହି ସଫଳତା ତାଙ୍କ ପାଇଁ ଆଦୌ ସହଜ ନଥିଲା। ଅନେକ ଦୁଆରକୁ ଯାଇ, ବିଭିନ୍ନ ବିଭାଗ ଓ ମନ୍ତ୍ରାଳୟରେ ପାଖାପାଖି ୨୦ଟା ପ୍ରେଜେଣ୍ଟେସନ ଦେବା ପରେ ଶେଷର ତେଲେଙ୍ଗା ହାଇକୋର୍ଟ ପକ୍ଷରୁ ତାଙ୍କୁ ସ୍ବୀକୃତି ମିଳିଛି। ନିଟ୍ ପିଜି କାଉନ୍ସେଲିଂରେ ତୃତୀୟଲିଙ୍ଗୀମାନଙ୍କ ପାଇଁ ଏକ ଆସନ ସଂରକ୍ଷଣ ପାଇଁ ସେ କରିଥିବା ଆବେଦନକୁ କୋର୍ଟ ମଞ୍ଜୁରି ଦେଇଛନ୍ତି। ରୁଥ୍ ପଲ୍ ଜନ୍ ଜଣେ ତୃତୀୟ ଲିଙ୍ଗୀ ହୋଇଥିବା ବେଳେ ଅନୁସୂଚୀତ ବର୍ଗର ମହିଳା। ସେ ବର୍ତ୍ତମାନ ହାଇଦ୍ରାବାଦ୍ର ଓସମାନିଆ ଜେନେରାଲ୍ ହସ୍ପିଟାଲ୍ (ଓଜିଏଚ୍)ରେ କାର୍ଯ୍ୟରତ।
ପୂର୍ବରୁ ନିଟ୍ ପିଜିରେ ତୃତୀୟଲିଙ୍ଗୀମାନଙ୍କୁ ପୁରୁଷ କିମ୍ବା ମହିଳା ଭାବେ ସେମାନଙ୍କ ନାମ ଭରିବାକୁ ପଡୁଥିଲା। ଏପରିକି ଡକ୍ଟର ରୁଥ୍ ପଲ୍ ଜନ୍ଙ୍କୁ ୨୦୨୨ ମସିହାରେ ଯେତେବେଳେ ପିଜି ପାଇଁ ଚୟନ କରାଯାଇଥିଲା ତ ତାଙ୍କ ନାମ ମହିଳା ବର୍ଗରେ ଥିଲା। ମାତ୍ର ସେ ତାଙ୍କ ନାମ ତୃତୀୟଲିଙ୍ଗୀ ବର୍ଗର ଭରିଥିଲେ, ଯାହାପାଇଁ ତାଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। କାରଣ ସେ ସମୟରେ ତେଲେଙ୍ଗାନାରେ ତୃତୀୟଲିଙ୍ଗୀଙ୍କ ପାଇଁ କୌଣସି ସଂରକ୍ଷଣ ବ୍ୟବସ୍ଥା ନଥିଲା। ଯାହା ବିରୋଧରେ ସେ ସ୍ବର ଉଠାଇ ତୃତୀୟଲିଙ୍ଗୀଙ୍କ ନିଜସ୍ବ ପରିଚୟ ପାଇଁ ଅଦାଲତ ଦୁଆରକୁ ଯାଇଥିଲେ।
ଏବେ ନ୍ୟାୟ ମିଳିବା ପରେ ଡକ୍ଟର ରୁଥ୍ ପଲ୍ ଜନ୍ ଜଣେ ସ୍ତ୍ରୀରୋଗ ବିଶେଷଜ୍ଞ ହେବାକୁ ଚାହାନ୍ତି। ତୃତୀୟଲିଙ୍ଗୀମାନଙ୍କୁ ସେମାନଙ୍କ ଲିଙ୍ଗ ପାଇଁ ଚିକିତ୍ସା କ୍ଷେତ୍ରରେ ବହୁ ଅସୁବିଧାର ସାମ୍ନା କରିବାକୁ ପଡୁଥିବା ହେତୁ ସେ ନିଜ ସଂପ୍ରଦାୟର ଲୋକଙ୍କୁ ସୁବିଧାରେ ଚିକିତ୍ସା ଯୋଗାଇବାକୁ ଚାହାନ୍ତି।