ତେଲେଙ୍ଗାନା ରାଜ୍ୟ ସରକାରୀ କର୍ମଚାରୀଙ୍କ ବେତନରେ ୩୦% ବୃଦ୍ଧି ସହ ଅବସର ବୟସ ୩ବର୍ଷ ବୃଦ୍ଧି ପାଇଲା 

ହାଇଦ୍ରାବାଦ: ତେଲେଙ୍ଗାନା ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ନଅ ଲକ୍ଷରୁ ଅଧିକ କର୍ମଚାରୀଙ୍କ ବେତନରେ ୩୦ ପ୍ରତିଶତର ବୃଦ୍ଧି ସହ କର୍ମଚାରୀମାନଙ୍କର ଅବସର ଗ୍ରହଣର ବୟସ ସୀମାକୁ ୫୮ ବର୍ଷରୁ ୬୧ ବର୍ଷକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏହି ଘୋଷଣା ଆଜି (ସୋମବାର) ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ରାଜ୍ୟ ବିଧାନସଭାରେ କରିଛନ୍ତି।

ରାଜ୍ୟର ସରକାରୀ କର୍ମଚାରୀମାନଙ୍କୁ ଏହି ବର୍ଦ୍ଧିତ ବେତନ ଗତ ଆର୍ଥିକ ବର୍ଷରୁ ପିଛିଲା ଭାବେ ପ୍ରଦାନ କରାଯିବ। ତେବେ, ବର୍ଦ୍ଧିିତ ବେତନ ଭାବେ ଗତ ୧୨ମାସର ବକେୟା ପ୍ରାପ୍ୟକୁ କର୍ମଚାରୀମାନଙ୍କୁ ଅବସର ସମୟରେ ହିଁ ପ୍ରଦାନ କରାଯିବ। ଏଥିସହ ସମସ୍ତ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଅପ୍ରେଲ ୧ ତାରିଖ ଠାରୁ ନୂତନ ବର୍ଦ୍ଧିତ ହାରରେ ବେତନ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ତାଙ୍କ ଘୋଷଣାରେ ସ୍ପଷ୍ଟ କରି ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ମେ ୨୦୧୮ରେ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ସି.ଆର ବିଶ୍ୱାଳଙ୍କ ନେତୃତ୍ୱରେ ଗଠିତ ଏକାଦଶ ବେତନ ସଂଶୋଧନ ଆୟୋଗ ଦେଇଥିବା ସୁପାରିଶକୁ ଆଧାର କରି ତେଲେଙ୍ଗାନା ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହା ପୂର୍ବରୁ ୨୦୧୪ରେ ତେଲେଙ୍ଗାନା ରାଜ୍ୟ ସରକାରୀ କର୍ମଚାରୀମାନଙ୍କର ବେତନକୁ ବୃଦ୍ଧି କରାଯାଇଥିଲା। ସେତେବେଳେ ତେଲେଙ୍ଗାନାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିବାର କିଛି ମାସ ପରେ ସରକାର ରାଜ୍ୟର ସରକାରୀ କର୍ମଚାରୀମାନଙ୍କର ବେତନରେ ୪୩ ପ୍ରତିଶତର ବୃଦ୍ଧି କରିଥିଲେ।

ସମ୍ବନ୍ଧିତ ଖବର