କଲ୍ୟାଣକାରୀ ଯୋଜନା ପାଇଁ ପାଣ୍ଠି ଅଭାବ: ରାଜସ୍ୱ ବୃଦ୍ଧି ପାଇଁ ମଦ ମୂଲ୍ୟକୁ ୨୦-୨୫% ବୃଦ୍ଧି କଲେ ତେଲେଙ୍ଗାନା ସରକାର

ହାଇଦ୍ରାବାଦ: ରାଜ୍ୟର ରାଜସ୍ୱକୁ ବୃଦ୍ଧି କରିବା ଲକ୍ଷ୍ୟରେ ତେଲେଙ୍ଗାନାର କେସିଆର ସରକାର ମଦ ଦରକୁ ୨୦ରୁ ୨୫ ପ୍ରତିଶତ ବୃଦ୍ଧି କରି ଦେଇଛନ୍ତି। ସମସ୍ତ ବ୍ରାଣ୍ଡ ମଦର ମୂଲ୍ୟକୁ ବୃଦ୍ଧି କରାଯାଇଛି ଏବଂ ଏହା ସରକାରଙ୍କୁ ଅତିରିକ୍ତ ରାଜସ୍ୱ ସୃଷ୍ଟି କରିବାରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି। ମଦର ଏହି ଦର ବୃଦ୍ଧି ପରେ ସରକାର ଏବେ ବାର୍ଷିକ ୬,୦୦୦ କୋଟିରୁ ୭,୦୦୦ କୋଟିର ଅତିରିକ୍ତ ରାଜସ୍ୱ ଆୟ କରିବେ ବୋଲି ଲକ୍ଷ୍ୟ ରଖାଯାଇଛି।
୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟ ମଦ ବିକ୍ରିରୁ ୩୦.୦୦୦ କୋଟି ଟଙ୍କା ରୋଜଗାର କରିଥିଲା ଏବଂ ଟିକସ ଆୟ ୧୨,୦୦୦ କୋଟି ଟଙ୍କା ବୋଲି ଜଣାଯାଇଛି।

ଏବେ, କର୍ତ୍ତୃପକ୍ଷ ୧,୦୦୦ ମିଲି ମଦର ମୂଲ୍ୟ ୧୨୦ ଟଙ୍କା ବୃଦ୍ଧି କରିଛନ୍ତି। ଫଳରେ ମୂଲ୍ୟ ୪୯୫ ଟଙ୍କାରୁ ୬୧୫ ଟଙ୍କାକୁ ବୃଦ୍ଧି ପାଇଛି। ‘ନିପ୍‌’ ବୋତଲର ମୂଲ୍ୟରେ ୨୦ ଟଙ୍କାର ବୃଦ୍ଧି କରା ଯାଇଥିବା ବେଳେ ସମସ୍ତ ପ୍ରକାରର ବିୟରର ମୂଲ୍ୟରେ, ସର୍ବନିମ୍ନ ୧୦ ଟଙ୍କା ବୃଦ୍ଧି ହୋଇଛି।

ରାଜ୍ୟରେ ଗୁରୁବାର ଠାରୁ ଏହି ନୂତନ ମୂଲ୍ୟ ଲାଗୁ ହୋଇଛି। ଅବକାରୀ ଅଧିକାରୀମାନେ ମଦ ଦୋକାନ, ବାର୍‌ରେ ମଦର ଷ୍ଟକ୍‌ ଯାଞ୍ଚ କରିଛନ୍ତି।

ରାଜ୍ୟରେ ମଦ ନୀତି ୨୦୨୧-୨୩ କାର୍ଯ୍ୟକାରୀ ହେବା ପରେ ପ୍ରଥମ ଥର ପାଇଁ ମଦ ଦର ବୃଦ୍ଧି କରାଯାଇଛି। ରାଜ୍ୟରେ ମଦ ମୂଲ୍ୟରେ ଶେଷ ବୃଦ୍ଧି ହୋଇଥିଲା କୋଭିଡ୍‌-୧୯ ଲକଡାଉନ୍‌ର ପ୍ରଥମ ପର୍ଯ୍ୟାୟ ପରେ ମେ ୨୦୨୦ରେ।

ସଂପ୍ରତି ରାଜ୍ୟ ସରକାର ନିଜର କଲ୍ୟାଣକାରୀ ଯୋଜନା ଜାରି ରଖିବା ପାଇଁ ପାଣ୍ଠି ଅଭାବର ସମ୍ମୁଖୀନ ହୋଇଥିବା ବେଳେ ରାଜ୍ୟର ରାଜସ୍ୱ ବୃଦ୍ଧି ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି। ଏହାପରେ ରାଜ୍ୟ ସରକାର ପର୍ଯ୍ୟାୟ କ୍ରମେ ଜମିର ମୂଲ୍ୟ, ସମ୍ପତ୍ତି ପଞ୍ଜିକରଣ ଦେୟ, ବସ୍‌ ଭଡା ଏବଂ ବିଦ୍ୟୁତ ଶୁଳ୍କରେ ମଧ୍ୟ ବୃଦ୍ଧି ଘଟାଇବା ପାଇଁ ଚିନ୍ତା କରୁଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର