ନୂଆଦିଲ୍ଲୀ: ତେଲେଙ୍ଗାନାର ହମନକୋଣ୍ଡାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ହମନକୋଣ୍ଡାର ଏକ ପୋଖରୀରେ ଜଣେ ବ୍ୟକ୍ତି ଅନେକ ସମୟ ଧରି ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏହାପରେ କେଉଁଆଡୁ ମୃତଦେହ ଭାସି ଆସିଥିବା ମନେ କରି ସ୍ଥାନୀୟଲୋକେ ପୁଲିସକୁ ଖବର ଦେଇଥିଲେ।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୋଖରୀରେ ଭାସୁଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲା। ଏହି ସମୟରେ ପୁଲିସ ଭାସୁଥିବା ବ୍ୟକ୍ତିଙ୍କ ହାତକୁ ଧରି ପାଣିରୁ ବାହାରକୁ ଆଣିବା ପରେ ହଠାତ ସେ ଉଠି ବସି ପଡ଼ିଥିଲେ। ଏ ଦୃଶ୍ୟ ଦେଖି ପୁଲିସ ଓ ସ୍ଥାନୀୟଲୋକ ଚମକି ପଡ଼ିଥିଲେ।
ଏହି ଘଟଣାକୁ ନେଇ ପୋଖରୀରେ ଭାସୁଥିବା ବ୍ୟକ୍ତି ଜଣକ ପୁଲିସକୁ କହିଥିଲେ, ‘ଆଜ୍ଞା ମୁଁ ଜୀବିତ ଅଛି। ମୁଁ ନିକଟରେ ଥିବା ଏକ ଗ୍ରାନାଇଟ ଖଣିରେ କାମ କରେ । ଅସହ୍ୟ ଗରମ ସହିତ ୧୨ ଘଣ୍ଟା ଅକ୍ଳାନ୍ତ ପରିଶ୍ରମ ପରେ ଥିକି ଯାଉଛି।
ମୁଁ ଯେଉଁ ଭଡ଼ା ଘରେ ରହୁଛି ସେଠାରେ ପ୍ରବଳ ଗରମ। ତେଣୁ ଗରମକୁ ମୁକ୍ତି ପାଇବା ପାଇଁ ଡିୟୁଟି ସରିବା ପରେ ପ୍ରତିଦିନ ଏହି ପୋଖରୀକୁ ଆସି ଗାଧେଇବା ପରେ ଶାନ୍ତି ଲାଗିଥାଏ।
ଗତକାଲି ଗାଧୋଉ ଗାଧୋଇ କେମିତି ନିଦ ଲାଗି ଯାଇଥିଲା ଆଉ ମୁଁ ଶୋଇ ପଡ଼ିଥିଲି। ଆପଣମାନେ ମୋ ହାତ ଧରି ଟାଣିବା ପରେ ନିଦ ଭାଙ୍ଗି ଯାଇଥିଲା। ଏହାପରେ ମୁଁ ଜାଣିବାକୁ ପାଉଲି କି ୮ଘଣ୍ଟା କାଳ ମୁଁ ଏହି ପୋଖରୀ ପାଣିରେ ଶୋଇପଡ଼ିଥିଲି।’
ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଲୋକେ ପ୍ରଶ୍ନ କରିଛନ୍ତି କି, ଜଣେ ବ୍ୟକ୍ତି କିପରି ୮ଘଣ୍ଟା ପୋଖରୀ ପାଣିରେ ଭାସିଭାସି ଶୋଇ ପାରେ? ଏହା ସମ୍ଭବ କି?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/118f055f-1eab-4ece-b088-5e21bd15c028.jpg)