ହାଇଦ୍ରାବାଦ: ଭାରତ ରାଷ୍ଟ୍ର ସମିତି(ବିଆର୍ଏସ୍) ବିଧାୟିକା ଲସ୍ୟା ନନ୍ଦିତାଙ୍କର ଆଜି ହାଇଦ୍ରାବାଦରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ପ୍ରଥମ ଥର ବିଧାୟିକା ହୋଇଥିବା ୩୭ ବର୍ଷୀୟା ମହିଳାଙ୍କ ଗାଡ଼ି ନିୟନ୍ତ୍ରଣ ହରାଇ ରାସ୍ତାର ଡିଭାଇଡର ସହ ଧକ୍କା ହେବାରୁ ସେ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ପରେ ତୁରନ୍ତ ନନ୍ଦିତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଏବଂ ପରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ସମ୍ପୃକ୍ତ ଡ୍ରାଇଭର ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ମାତ୍ର ୧୦ ଦିନ ତଳେ ଲସ୍ୟା ନରକଟପଲ୍ଲୀରେ ଘଟିଥିବା ଆଉ ଏକ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ, ଯେଉଁଥିରେ ସେ ସାମାନ୍ୟ ଆହତ ହୋଇଥିଲେ। ଫେବ୍ରୁଆରି ୧୩ ତାରିଖରେ ସେ ମୁଖ୍ୟମନ୍ତ୍ରୀଙ୍କ ଏକ ରାଲିରେ ଯୋଗ ଦେବା ପାଇଁ ନାଲଗୋଣ୍ଡା ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ତାଙ୍କ ହୋମଗାର୍ଡଙ୍କ ମୃତ୍ୟୁ ହୋଇଥିଲା। ହାଇଦ୍ରାବାଦରେ ୧୯୮୬ ମସିହାରେ ଜନ୍ମିତା ନନ୍ଦିତା ପ୍ରାୟ ଏକ ଦଶନ୍ଧି ତଳେ ରାଜନୀତିରେ ପାଦ ଥାପିଥିଲେ। ୨୦୨୩ରେ ସେ ସିକନ୍ଦରାବାଦ କ୍ୟାଣ୍ଟନମେଣ୍ଟରୁ ବିଧାୟିକା ନିର୍ବାଚିତ ହୋଇଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp