ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ୍ ଗ୍ରହଣ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରାଜ୍ୟରେ ଚାଲିଥିବା ଦୀର୍ଘ ନିର୍ବାଚନ ପ୍ରଚାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଶାସକ ଦଳ ବିଆରଏସ ମୁଖ୍ୟ କେ ଚନ୍ଦ୍ରଶେଖର ରାଓଙ୍କ ସମେତ ରାଜ୍ୟ ତଥା ଦେଶର ବହୁ ବରିଷ୍ଠ ନେତା ଅଂଶଗ୍ରହଣ କରିଥିଲେ। ଆସନ୍ତାକାଲି ରାଜ୍ୟର ସମସ୍ତ ୧୧୯ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ। ଏହା ସହିତ ସମସ୍ତ ୫ ରାଜ୍ୟ (ମିଜୋରାମ, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନା)ରେ ବିଧାନସଭା ପାଇଁ ମତଦାନ ଶେଷ ହେଉଥିବାରୁ ଆସନ୍ତାକାଲି ସନ୍ଧ୍ୟାରେ ଏକ୍ଜିଟ ପୋଲ୍ (ବୁଥ୍ ବାହୁଡ଼ା ମତ) ପ୍ରକାଶ ପାଇବ।
ମାଓବାଦୀ ପ୍ରଭାବିତ ଅଂଚଳରେ କଡ଼ା ସୁରକ୍ଷା ବନ୍ଦୋବସ୍ତ ହୋଇଛି। ରାଜ୍ୟର ୧୦୬ଟି ବିଧାନସଭା ଆସନରେ ସକାଳ ୭ ଟାରୁ ୫ଟା ପର୍ଯ୍ୟନ୍ତ ଭୋଟ୍ ଅନୁଷ୍ଠିତ ହେବ, କିନ୍ତୁ ମାଓବାଦୀଙ୍କ ଦ୍ୱାରା ପ୍ରଭାବିତ ୧୩ଟି ଆସନରେ ସକାଳ ୭ ଟାରୁ ୪ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ। ଏହି ବିଧାନସଭା ନିର୍ବାଚନରେ ମୋଟ ୨୨, ୦୦୦ ପ୍ରାର୍ଥୀ ଅଛନ୍ତି। ୩୫୬୫୫ ମତଦାନ କେନ୍ଦ୍ରରେ ଭୋଟରମାନେ ସେମାନଙ୍କ ମତାଧିକାର ସାବସ୍ତ କରିବେ। ବିଆରଏସ ସମସ୍ତ ୧୧୯ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ୧୧୮ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି ଏବଂ ଏହାର ସହଯୋଗୀ ସିପିଆଇକୁ ଗୋଟିଏ ଆସନ ଦେଇଛି।
ଅଭିନେତା ପୱନ କଲ୍ୟାଣଙ୍କ ନେତୃତ୍ୱରେ ଜନସେନା ପାର୍ଟି ସହିତ ବିଜେପି ଆସନ ବୁଝାମଣା କରିଛି। ବିଜେପି ୧୧୧ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଜନସେନା ପ୍ରାର୍ଥୀମାନେ ୮ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଅସଦ୍ଉଦ୍ଦିନ ଅୱେସୀଙ୍କ ନେତୃତ୍ୱାଧୀନ ଏଆଇଏମ୍ଆଇଏମ୍ ୯ଟି ଆସନରେ ପ୍ରାର୍ଥୀ ଦେଇଛି। ଏଥର ଦକ୍ଷିଣ ଭାରତର ଏହି ରାଜ୍ୟରେ ପ୍ରଥମ ଥର ପାଇଁ ଜିତିବା ନିମନ୍ତେ ବିଜେପି ମଧ୍ୟ ନିଜର ସମ୍ପୂର୍ଣ୍ଣ ଶକ୍ତି ବ୍ୟବହାର କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ସଭାପତି ଜେପି ନଡ୍ଡାଙ୍କ ସମେତ ବିଜେପିର ସମସ୍ତ ବରିଷ୍ଠ ନେତାମାନେ ବ୍ୟାପକ ପ୍ରଚାର କରିଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧିଙ୍କ ସମେତ ବହୁ ବରିଷ୍ଠ ନେତା ତେଲେଙ୍ଗାନାରେ ଜୋରଦାର ପ୍ରଚାର କରିଛନ୍ତି।