ତେଲେଙ୍ଗାନା: ଖାତ ଭିତରକୁ ବସ୍‌ ଖସି ୪ ଶିଶୁଙ୍କ ସମେତ ୫୨ ତୀର୍ଥଯାତ୍ରୀଙ୍କ ମୃତ୍ୟୁ

ହାଇଦ୍ରାବାଦ୍‌: ତେଲେଙ୍ଗାନାର ଜଗତିଆଲ୍‌ ଜିଲ୍ଲାରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ରାଜ୍ୟ ସଡକ ପରିବହନ ଏକ ବସ ଖାତ ଭିତରକୁ ଖସି ପଡ଼ିବା ଫଳରେ ମଙ୍ଗଳବାର ସକାଳେ ୪ ଶିଶୁଙ୍କ ସମେତ ୫୨ ଜଣ ତୀର୍ଥଯାତ୍ରୀ ପ୍ରାଣ ହରାଇଛନ୍ତି। ଏଥିସହ ୩୪ ଜଣ ଗୁରୁତର ଆହତ ହୋଇଛନ୍ତି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାର କୋଣ୍ଡାଗାଟ୍ଟୁ ପର୍ବତ ଉପରେ ଥିବା ଏକ ହନୁମାନ ମନ୍ଦିରକୁ ୭୦ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ବସ୍‌ଟି ଯାଇଥିଲା। ସେଠାରୁ ଫେରିବା ରାସ୍ତାରେ ବ୍ରେକ ଫେଲ୍‌ ହୋଇଯିବାରୁ ଡ୍ରାଇଭର ବସ ଉପରୁ ନିୟନ୍ତ୍ରଣ ହରାଇ ଥିଲେ। ଫଳରେ ବସଟି ଭାରସାମ୍ୟ ହରାଇ ଗଭୀର ଖାତ ଭିତରକୁ ପଡ଼ିଯାଇଥିଲା। ଘଟଣାସ୍ଥଳରେ ୫୨ ଜଣ ମୃତ୍ୟୁମୁଖରେ ପଡ଼ିଥିବା ସୂଚନା ମିଳିଛି। ମୃତକମାନଙ୍କ ଭିତରେ ୩୨ ଜଣ ମହିଳା ଓ ୪ ଜଣ ଶିଶୁ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ପୂର୍ବାହ୍ନ ୧୧ଟା ୪୫ରେ ହୋଇଥିବା ଦୁର୍ଘଟଣାରେ ୩୨ ଜଣ ମହିଳା ଓ ୧୬ ଜଣ ପୁରୁଷଙ୍କ ପ୍ରାଣହାନୀ ଘଟିଛି। ଜଗତିଆଲ ଜିଲ୍ଲାପାଳ ଏ ଶରତ ଦୁର୍ଘଟଣା ଉପରେ ନଜର ରଖିଥିବା ଜଣାପଡ଼ିଛି।

ବସ୍‌ ଦୁର୍ଘଟଣା ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗଭୀର ଶୋକ ଜଣାଇଛନ୍ତି। ଶୋକବାର୍ତ୍ତାରେ ମୋଦି କହିଛନ୍ତି, ଦୁର୍ଘଟଣାରେ ଆହତ ଲୋକଙ୍କୁ ଯଥାଶୀଘ୍ର ଉଦ୍ଧାର କରାଯାଉ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଦୁର୍ଘଟଣାକୁ ନେଇ ମର୍ମାହତ ହୋଇଛନ୍ତି। ଆହତ ଲୋକଙ୍କୁ ତୁରନ୍ତ ମେଡିକାଲ ସୁବିଧା ଯୋଗାଇବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ପଡ଼ୀତ ପରିବାରଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦେବାକୁ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର