ମହବୁବନଗର: ତେଲେଙ୍ଗାନାର ମହବୁବନଗର ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜିଲ୍ଲାର ଜଣେ ୨୯ ବର୍ଷୀୟ ଯୁବକଙ୍କୁ ତାଙ୍କ ରୁମମେଟଙ୍କ ସହ ହୋଇଥିବା ଝଗଡ଼ା ପରେ ଆମେରିକା ପୁଲିସ୍ ଗୁଳି କରି ହତ୍ୟା କରିଛି ବୋଲି ତାଙ୍କ ପରିବାର ଲୋକ ଗୁରୁବାର ଅଭିଯୋଗ ଆଣିଛନ୍ତି।
କାଲିଫର୍ଣ୍ଣିଆର ଜଣେ ସଫ୍ଟୱେର୍ ପ୍ରଫେସନାଲ ମହମ୍ମଦ ନିଜାମୁଦ୍ଦିନଙ୍କୁ ସେପ୍ଟେମ୍ବର ୩ ତାରିଖରେ ସାଣ୍ଟା କ୍ଲାରା ପୁଲିସ ହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ବାପା ମହମ୍ମଦ ହସନୁଦ୍ଦିନ ପିଟିଆଇକୁ କହିଛନ୍ତି ଯେ ସେ ତାଙ୍କ ପୁଅର ଜଣେ ବନ୍ଧୁ ତାଙ୍କୁ ଏହି ମୃତ୍ୟୁ ବାବଦରେ ଜଣାଇଛନ୍ତି। ତେବେ ବାସ୍ତବରେ କେମିତି ଓ କେଉଁ କାରଣରୁ ଯୁବକଙ୍କ ମୃତ୍ୟୁ ହୋଇଛି ତାହାର କାରଣ ଏବେ ବି ଅସ୍ପଷ୍ଟ ରହିଛି।
ହସନୁଦ୍ଦିନଙ୍କ କହିବା ଅନୁଯାୟୀ, ରୁମମେଟ୍ ସହିତ ଏକ ଛୋଟ କଥାକୁ ନେଇ ସଂଘର୍ଷ ହୋଇଥିଲା। ସେ କହିଛନ୍ତି ଯେ ତାଙ୍କୁ ଗୁରୁବାର ସକାଳେ ଗୁଳିକାଣ୍ଡ ବିଷୟରେ ସୂଚନା ଦିଆଯାଇଥିଲା।
ସେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଏକ ଚିଠିରେ ତାଙ୍କ ପୁଅର ମୃତଦେହକୁ ମହବୁବନଗର ଫେରାଇ ଆଣିବାରେ ସହାୟତା ପାଇଁ ଅନୁରୋଧ କରିଛନ୍ତି। "ପୁଲିସ ତାଙ୍କୁ କାହିଁକି ଗୁଳି କରି ହତ୍ୟା କରିଛି ତାହାର ପ୍ରକୃତ କାରଣ ମୁଁ ଜାଣିନାହିଁ," ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି।
ତାଙ୍କ ବାପା କହିଛନ୍ତି ଯେ ନିଜାମୁଦ୍ଦିନ ଆମେରିକାରେ ସଫ୍ଟୱେର୍ ପ୍ରଫେସନାଲ ଭାବରେ କାମ କରିବା ପୂର୍ବରୁ ତାଙ୍କର ଏମ୍ଏସ୍ ଡିଗ୍ରୀ ହାସଲ କରିଥିଲେ।