ନୂଆଦିଲ୍ଲୀ : ଦେଶର ମାଓ ପ୍ରଭାବିତ ଅଂଚଳ ଗୁଡ଼ିକରେ ଯୋଗାଯୋଗ ସେବାକୁ ଉନ୍ନତ କରିବାକୁ ୨ୟ ପର୍ଯ୍ୟାୟରେ ଆଉ ୨୫୪୨ଟି ମୋବାଇଲ ଟାଓ୍ବାର ନିର୍ମାଣ କରାଯିବ । ତା’ ମଧ୍ୟରୁ ଓଡ଼ିଶାରେ ପ୍ରାୟ ୪୮୩ଟି ଟାଓ୍ବାର ନିର୍ମାଣ କରାଯିବ ବୋଲି ଆଜି ସଂସଦରେ କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଦେବୁ ସିଂ ଚୌହାନ ସୂଚନା ଦେଇଛନ୍ତି । ଏସବୁ ଟାଓ୍ବାର ନିର୍ମାଣ ପାଇଁ ବିଭିନ୍ନ ସଂସ୍ଥାକୁ ଠିକା ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି । ବିଜେଡ଼ି ସାଂସଦ ପିନାକୀ ମିଶ୍ରଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।
ଓଡ଼ିଶାରେ ଟେଲି ସାନ୍ଧ୍ରତା ବିଗତ କିଛି ବର୍ଷରେ ବେଶ ବୃଦ୍ଧି ପାଇଛି । ଓଡ଼ିଶାର ସହରାଞ୍ଚଳରେ ଟେଲିସାନ୍ଧ୍ରତା ୧୪୪ ପ୍ରତିଶତ ଥିବାବେଳେ ଗ୍ରାମାଞ୍ଚଳରେ ତାହା ମାତ୍ର ୬୧.୮୭ ପ୍ରତିଶତ ରହିଛି । ଏଣୁ ମୋବାଇଲ ସେବା କ୍ଷେତ୍ରରେ ଓଡ଼ିଶାର ଗ୍ରାମାଞ୍ଚଳ ସହରାଞ୍ଚଳଠାରୁ ବେଶ ପଛରେ ରହିଛି ।
ମାଓ ପ୍ରଭାବିତ ଅଂଚଳରେ ମୋବାଇଲ ସେବା ସ୍କିମର ପ୍ରଥମ ପର୍ଯ୍ୟାୟରେ ମୋଟ ୨୩୫୫ ଟି ମୋବାଇଲ ଟାଓ୍ବାର ନିର୍ମାଣ କରିବାକୁ ଯୋଜନା କରାଯାଇଥିବାବେଳେ ତା’ମଧ୍ୟରୁ ୨୩୪୩ଟି ଟାଓ୍ବାର ପ୍ରତିଷ୍ଠା କରାଯାଇଛି । ଅବଶିଷ୍ଟ ୧୨ଟି ଟାଓ୍ବାର ନକ୍ସଲ କାର୍ଯ୍ୟକଳାପ ଓ ଜଙ୍ଗଲ ଅନୁମତି ପାଇଁ ପ୍ରତିଷ୍ଠା କରାଯାଇପାରି ନଥିଲା । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ୨୫୬ଟି ଟାଓ୍ବାର ଓଡ଼ିଶାରେ ନିର୍ମାଣ କରାଯାଇଥିଲା । ତେବେ ସ୍ଥାପନ କରାଯାଇପାରିନଥିବା ୧୨ଟି ଟାଓ୍ବାର ମଧ୍ୟରୁ ୫ଟି ଓଡ଼ିଶାର ରହିଛି ।