ବାତ୍ୟା ପ୍ରଭାବିତ ଅଞ୍ଚଳରେ ଅବ୍ୟାହତ ରହିବ ଟେଲି ଯୋଗାଯୋଗ ବ୍ୟବସ୍ଥା

ନୂଆଦିଲ୍ଲୀ : ‘ଅମ୍ଫାନ’ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଟେଲିଯୋଗାଯୋଗକୁ ଅବ୍ୟାହତ ରଖିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ଆଗୁଆ ଯୋଜନା ପ୍ରସ୍ତୁତ କରାଯାଇଥିବାର ଆଜି କେନ୍ଦ୍ର ଟେଲିକମ୍‌ ସଚିବ ଅଂଶୁ ପ୍ରକାଶ କରୁଛନ୍ତି। ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କରେ ସମସ୍ତ ଟେଲିଫୋନ ଅପରେଟରମାନଙ୍କ ଦ୍ବାରା ବିସ୍ତୃତ ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ଅଂଶୁ ସୂଚନା ଦେଇଥିଲେ।

ଅଂଶୁ କହିଛନ୍ତି ଯେ, ,ସ୍‌ଏମ୍‌ଏସ୍‌ ଜରିଆରେ ଲୋକମାନଙ୍କୁ ନିଃଶୁଳ୍କ ସେହି ଅଞ୍ଚଳର ଭାଷାରେ ସୂଚନା ଦେବା ପାଇଁ ଅପରେଟରମାନଙ୍କୁ କୁହାଯାଇଛି। ଟେଲିଫୋନ ଅପରେଟରମାନଙ୍କୁ ଡିଜେଲ ସହ ଜେନେରେଟର ସେଟ୍‌କୁ ପର୍ଯ୍ୟାପ୍ତ ମାତ୍ରାରେ ରଖିବା ପାଇଁ ନିର୍ଦେଶ ଦିଆଯାଇଛି। ବିଦ୍ୟୁତ ଯୋଗାଣରେ ବ୍ୟାହତ ହେଲେ ଏହାକୁ ବ୍ୟବହାର କରାଯିବ। ଅପଟିକାଲ ଫାଇବର କେବୁଲ ମଧ୍ୟ ପର୍ଯ୍ୟାପ୍ତ ମାତ୍ରାରେ ରଖିବା ପାଇଁ ଟେଲିଫୋନ ସେବା ପ୍ରଦାନକାରୀ ସଂସ୍ଥାକୁ କୁହାଯାଇଛି। ଜିଲ୍ଲାର ପ୍ରମୁଖ କାର୍ଯ୍ୟାଳୟରେ ଥିବା ବ୍ରଡବ୍ୟାଣ୍ଡଗୁଡ଼ିକୁ ସୁଦୃଢ଼ କରାଯିବ। ଆସନ୍ତାକାଲିଠାରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ କାର୍ଯ୍ୟ ଆରମ୍ଭ କରିବ। ଯୁଗ୍ମ ସଚିବ ପାହ୍ୟାର ଅଫିସର ଓଡ଼ିଶା ଓ ପଶ୍ଚିମବଙ୍ଗରେ ଟେଲିଫୋନ ଅପରେଟର ଓ ରାଜ୍ୟ ସରକାରଙ୍କ ସହିତ ସମନ୍ବୟ ରଖିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର