ତେଲେଙ୍ଗାନାରେ ଆଗୁଆ ନିର୍ବାଚନ ପ୍ରସଙ୍ଗ: ସିଇସିଙ୍କ ଭିନ୍ନ ମତ

ମୁଖ୍ୟମନ୍ତ୍ରୀଙ୍କ ବୟାନ ନିରର୍ଥକ ଓ ଅନାବଶ୍ୟକ

ନୂଆଦିଲ୍ଲୀ: ଆଗୁଆ ବିଧାନସଭା ନିର୍ବାଚନ ପାଇଁ ତେଲେଙ୍ଗାନା ବିଧାନସଭା ଭଙ୍ଗ ସୁପାରିସ ଗୃହୀତ ହୋଇଥିବା ବେଳେ ଏବେ କାମଚଳା ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ବାଚନ କମିସନ ସତର୍କ ନଜର ରଖିଛନ୍ତି। ଚଳିତ ବର୍ଷ ଶେଷ ଆଡ଼ୁକୁ ମଧ୍ୟପ୍ରଦେଶ, ରାଜସ୍ଥାନ, ମିଜୋରାମ ଏବଂ ଛତିଶଗଡ଼ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସହିତ ତେଲେଙ୍ଗାନା ନିର୍ବାଚନ ମଧ୍ୟ ସଂପନ୍ନ ହେବ ବୋଲି କୁହାଯାଉଛି। ତେବେ ଗତକାଲି ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର) ନିର୍ବାଚନ ପ୍ରକ୍ରିୟା ନଭେମ୍ବର ସୁଦ୍ଧା ସଂପୂର୍ଣ୍ଣ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିବା ପରେ ଆଜି ଏ ବାବଦରେ ମୁଖ୍ୟ ନିର୍ବାଚନ କମିସନର (ସିଇସି) ଓ ପି ରାଓ୍ଵତ ଭିନ୍ନମତ ପୋଷଣ କରିଛନ୍ତି। ଅନ୍ୟ ୪ଟି ରାଜ୍ୟ ସହ ତେଲେଙ୍ଗାନା ନିର୍ବାଚନ ହୋଇପାରିବ କି ନାହିଁ ସେ ସଂପର୍କରେ ଆମେ ସମୀକ୍ଷା କରିବୁ। କୌଣସି ଜ୍ୟେତିଷଙ୍କ ଭବିଷ୍ୟବାଣୀ ଆଧାରରେ ନିର୍ବାଚନ ତାରିଖ ଧାର୍ଯ୍ୟ ହୋଇପାରିବ ନାହିଁ ବୋଲି ରାଓ୍ଵତ କହିଛନ୍ତି। ନିର୍ବାଚନ ସମୟ ଓ ତାରିଖ ନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ବୟାନ ନିରର୍ଥକ ବୋଲି ସେ କହିଛନ୍ତି। ପ୍ରଥମେ ନିର୍ବାଚନ କମିସନ ତେଲେଙ୍ଗାନାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କଠାରୁ ପ୍ରସ୍ତୁତି ସଂପର୍କରେ ରିପୋର୍ଟ ସଂଗ୍ରହ କରିବେ। ଏହାପରେ ଆବଶ୍ୟକ ପ୍ରସ୍ତୁତି ନେଇ ଅନୁଧ୍ୟାନ କରାଯିବା ପରେ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ମୁଖ୍ୟ ନିର୍ବାଚନ କମିସନର କହିଛନ୍ତି। ରାଜ୍ୟରେ ଏବେ ରହିଥିବା କାମଚଳା ସରକାର ଯେଭଳି ଭୋଟର୍‌ଙ୍କୁ ପ୍ରଭାବିତ କରି ଫାଇଦା ଉଠାଇ ପାରିବେ ନାହିଁ ସେ ଦିଗରେ ମଧ୍ୟ ସତର୍କ ନଜର ରଖାଯିବ ବୋଲି ରାଓ୍ଵତ କହିଛନ୍ତି। ବିଧାନସଭାକୁ ଆଗୁଆ ଭଙ୍ଗ କରାଯାଇଥିବାରୁ ଏ ଦିଗରେ ସମ୍ବିଧାନ ଦ୍ୱାରା ନିର୍ଦ୍ଧାରିତ ନୀତି କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ସେ କହିଛନ୍ତି।

ଭବିଷ୍ୟବାଣୀରେ ନିର୍ବାଚନ ତାରିଖ ଧାର୍ଯ୍ୟ ହେବନାହିଁ
ସତର୍କ ନଜର ରଖିବୁ

କଂଗ୍ରେସକୁ ଚମକାଇଦେଲେ କେସିଆର୍‌

ନୂଆଦିଲ୍ଲୀ: ତେଲେଙ୍ଗାନାରେ ଆଗୁଆ ନିର୍ବାଚନ କରାଇବା ଲକ୍ଷ୍ୟରେ ଗତକାଲି ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ବିଧାନସଭା ଭଙ୍ଗ ପାଇଁ ସୁପାରିଶ କରିଥିବା ବେଳେ ଏହାର ମାତ୍ର କିଛି ଘଣ୍ଟା ପରେ ୧୦୫ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରି କଂଗ୍ରେସକୁ ଚମକାଇ ଦେଇଛନ୍ତି। ରାଜ୍ୟର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଟିଆର୍‌ଏସ୍‌ର ଏଭଳି ଆକ୍ରମଣାତ୍ମକ ରଣନୀତିରେ ବ୍ୟତିବ୍ୟସ୍ତ ହୋଇଉଠିଛି। ପ୍ରାର୍ଥୀ ତାଲିକା ଘୋଷଣା ପରେ କେସିଆର୍‌ କହିଛନ୍ତି ଯେ ଟିଆର୍‌ଏସ୍‌ର ବିପୁଳ ବିଜୟ ନେଇ ସେ ନିଶ୍ଚିତ ଅଛନ୍ତି। ରାଜ୍ୟ ସରକାର ଲାଗୁ କରିଥିବା ଲୋକପ୍ରିୟ ଯୋଜନାଗୁଡ଼ିକର ପ୍ରଚାର ପ୍ରସାର କାର୍ଯ୍ୟକୁ ମଧ୍ୟ ବ୍ୟାପକ କରାଯାଇଛି। ୧୧୯ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ ଏବଂ ଟିଆର୍‌ଏସ୍‌ର ୯୦ ସଦସ୍ୟ ଅଛନ୍ତି। ଅନ୍ୟପକ୍ଷରେ କଂଗ୍ରେସର ୧୪, ବିଜେପିର ୫, ଏମ୍‌୍‌ଆଇଏମ୍‌ ୭ ଏବଂ ଟିଡିପିର ୨ ଜଣ ସଦସ୍ୟ ଅଛନ୍ତି।

ସମ୍ବନ୍ଧିତ ଖବର