ହାଇଦ୍ରାବାଦ: ତେଲେଙ୍ଗାନାରେ ଜଣେ ପ୍ରାଣୀ ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ୪ ଜଣଙ୍କୁ ଆଜି ଅଦାଲତ ୧୪ ଦିନ ପାଇଁ ନ୍ୟାୟିକ ହାଜତକୁ ପଠାଇ ଦେଇଛନ୍ତି। ଏହି ଅଭିଯୁକ୍ତମାନେ ଗୁରୁବାର ରାତିରେ ହାଇଦ୍ରାବାଦର ଜଣେ ମହିଳା ଡାକ୍ତରଙ୍କୁ ଅପହରଣ କରି ତାଙ୍କ ସହିତ ଗଣଦୁଷ୍କର୍ମ କରିଥିଲେ। ଏହାପରେ ସେମାନେ ତାଙ୍କୁ ହତ୍ୟା କରି ଜାଳି ଦେଇଥିଲେ। ମହିଳା ଡାକ୍ତରଙ୍କ ବୟସ ୨୭ ବର୍ଷ ଏବଂ ସେ କୋଲ୍ଲୁର ପ୍ରାଣୀ ଚିକିତ୍ସାଳୟରେ କାମ କରୁଥିଲେ। ସାଦ୍‌ନଗର ଟୋଲ୍‌ ପ୍ଲାଜା ନିକଟରେ ସେ ସ୍କୁଟି ପାର୍କ କରି ସେଠାରୁ ଏକ କ୍ୟାବ୍‌ରେ ଅଫିସ ଯାଇଥିଲେ। ରାତିରେ ସେ ଟୋଲ୍‌ ପ୍ଲାଜା ନିକଟକୁ ଫେରି ତାଙ୍କ ସ୍କୁଟି ପଂକ୍‌ଚର ହୋଇଥିଲେ ଦେଖିଲେ। ଏହାପରେ ମହିଳା ଡାକ୍ତର ତାଙ୍କ ଭଉଣୀଙ୍କୁ ଫୋନ୍‌ କରି ଏ ସଂପର୍କରେ ଜଣାଇଥିଲେ। ରାତି ପ୍ରାୟ ସାଢ଼େ ୯ଟା ବେଳେ ତାଙ୍କୁ ୨ ଜଣ ଟ୍ରକ୍‌ ଡ୍ରାଇଭର ଓ ଏବଂ ୨ ଜଣ କ୍ଲିନର୍‌ ସେଠାରୁ ଅପହରଣ କରିନେଇ ଏହି ପୈଶାଚିକ କାଣ୍ଡ ଘଟାଇଥିଲେ। ଏହି ମାମଲାରେ ଆଜି ପରିବାର ସଦସ୍ୟମାନେ ପୁଲିସର ଅବହେଳାକୁ ଦାୟୀ କରିଛନ୍ତି। ଏହି ମାମଲାରେ ହାଇଦ୍ରାବାଦ ପୁଲିସ କମିସନର ଆଜି ଜଣେ ଏସ୍‌ଆଇ ସମେତ ୩ ଜଣ ପୁଲିସ କର୍ମୀଙ୍କୁ ନିଲମ୍ବିତ କରିଛନ୍ତି। ମହିଳାଙ୍କ ପ୍ରତି ବର୍ବରତା ବିରୋଧରେ ଆଜି ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶରେ ଜୋର୍‌ଦାର ବିକ୍ଷୋଭ ପ୍ରଦର୍ଶନ ହୋଇଛି। ହଜାର ହଜାର ଜନତା ସାଦ୍‌ନଗର ପୁଲିସ ଷ୍ଟେସନ୍‌ ଘେରାଉ କରିଥିଲେ। ଅଭିଯୁକ୍ତ ଟ୍ରକ୍‌ ଡ୍ରାଇଭର ମହମ୍ମଦ ଆରିଫ୍‌, ଟ୍ରକ୍‌ ଡ୍ରାଇଭର ଚିତାକୁନ୍ତା ଚେନ୍ନୋକେଶବୁଲୁ, କ୍ଲିନର୍‌ ଜୋଲୁ ଶିବା ଏବଂ ଜୋଲୁ ନବୀନକୁ ତୁରନ୍ତ ଫାଶୀ ଦେବାକୁ ଲୋକେ ଦାବି କରିଛନ୍ତି। ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଆରିଫ୍‌ ଓ ଅନ୍ୟ ୩ ଜଣଙ୍କୁ ପୁଲିସ ଘଟଣାସ୍ଥଳକୁ ନେଇ ତଦନ୍ତ କରିବା ସହ ସେମାନଙ୍କ ବୟାନ ରେକର୍ଡ କରିଥିଲା। ଆଜି ପୀଡ଼ିତ ପରିବାର ସଦସ୍ୟଙ୍କୁ ଜାତୀୟ ମହିଳା କମିସନର ଏକ ଟିମ୍‌ ସାକ୍ଷାତ କରିଥିଲେ। ପରିବାର ସଦସ୍ୟ ସେମାନଙ୍କୁ କହିଛନ୍ତି ଯେ ପୁଲିସ ପ୍ରଥମେ ସେମାନଙ୍କ ଅଭିଯୋଗକୁ ଆଦୌ ଗୁରୁତ୍ବ ଦେଇନଥିଲା ଏବଂ ଗୋଟିଏ ଥାନାରୁ ଅନ୍ୟ ଏକ ଥାନାକୁ ପଠାଇଥିଲା।

Advertisment

ଅଭିଯୁକ୍ତଙ୍କ ପାଇଁ ମାମଲା ଲଢ଼ିବେନି ଆଇନଜୀବୀ
ହାଇଦ୍ରାବାଦ୍‌: ତେଲେଙ୍ଗାନା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କୁ ଆଜି ୧୪ ଦିନିଆ ବିଚାର ବିଭାଗୀୟ ହାଜତ ପଠାଇ ଦିଆଯାଇଛି। ଅନ୍ୟପକ୍ଷେ ଏଭଳି ଘୃଣ୍ୟ ଅପରାଧୀଙ୍କୁ କୌଣସି ବି ଆଇନଜୀବୀ ସମର୍ଥନ ଦେବାକୁ ରାଜି ନାହାନ୍ତି। ତେଲେଙ୍ଗାନାରେ ରାଙ୍ଗା ରେଡ୍ଡି ଜିଲ୍ଲା ବାର୍‌ କାଉନସିଲ୍‌ ପକ୍ଷରୁ ଏନେଇ ଏକ ନୋଟିସ୍‌ ଜାରି ହୋଇଛି। ବାର୍‌ କାଉନସିଲ୍‌ର କୌଣସି ସଦସ୍ୟ ଅଭିଯୁକ୍ତଙ୍କ ପାଇଁ ମାମଲା ନ ଲଢ଼ିବାପାଇଁ ନୋଟିସ୍‌ କରାଯାଇଛି। ବାର୍‌ କାଉନସିଲ୍ ପକ୍ଷରୁ ମଧ୍ୟ ଉକ୍ତ ମାମଲାରେ ଆସନ୍ତା ୨ ତାରିଖରେ ଏକ ଆନ୍ଦୋଳନ କରା‌ଯିବ।। ତତ୍କାଳ ନ୍ୟାୟ ପାଇଁ ଉତ୍କ ମାମଲାରେ ସ୍ବତନ୍ତ୍ର କୋର୍ଟ ଗଠନ ପାଇଁ ବାର୍‌ କାଉନସିଲ୍‌ ପକ୍ଷରୁ ଦାବି କରାଯାଇଛି। ଅନ୍ୟପକ୍ଷେ ସାଦ୍‌ନଗର ବାର୍‌ ଆସୋସିଏସନ୍‌ ପକ୍ଷରୁ ମଧ୍ୟ ଅଭିଯୁକ୍ତମାନଙ୍କୁ କୌଣସି ପ୍ରକାର ଆଇନଗତ ସହାୟତା ଦିଆଯିବ ନାହିଁ ବୋଲି କୁହାଯାଇଛି।

ସଂସଦ ବାହାରେ ମହିଳାଙ୍କ ଆନ୍ଦୋଳନ
‘ମୋ ନିଜ ଭାରତରେ ମୁଁ କାହିଁକି ସୁରକ୍ଷିତ ନୁହେଁ’

ନୂଆଦିଲ୍ଲୀ: ଦେଶରେ ମହିଳାଙ୍କ ବିରୋଧରେ ଅପରାଧ ବଢ଼ିବାରେ ଲାଗିଛି। ତେ‌ଲେଙ୍ଗାନା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଜାଳି ଦେବା ଘଟଣା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ତେବେ ମହିଳାଙ୍କ ବିରୋଧରେ ବଢ଼ୁଥିବା ଅପରାଧକୁ ବିରୋଧ କରି ଆଜି ଜଣେ ମହିଳା ସଂସଦ ବାହାରେ ଏକାକୀ ଆନ୍ଦୋଳନ କରିଛନ୍ତି। ଏହି ମହିଳାଙ୍କ ନାମ ଅନୁ ଦୁବେ। ‘ ମୋ ନିଜ ଭାରତରେ ମୁଁ କାହିଁକି ସୁରକ୍ଷିତ ଅନୁଭବ କରୁନାହିଁ’ ଲେଖାଥିବା ଏକ ପ୍ଲାକାର୍ଡ ଧରି ସେ ସଂସଦର ୨-୩ ‌ଗେଟ୍‌ ନିକଟରେ ଧାରଣାରେ ବସିଥିଲେ। ତେବେ ତାଙ୍କୁ ଆନ୍ଦୋଳନ କରିବାପାଇଁ ଜନ୍ତର ମନ୍ତର ଯିବାକୁ କୁହା‌ଯିବାରୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ତେଣୁ ଅନୁଙ୍କୁ ପାର୍ଲାମେଣ୍ଟ୍‌ ଷ୍ଟ୍ରିଟ୍‌ ଥାନାରେ ଅଟକ ରଖାଯାଇଥିଲା। ପରେ ତାଙ୍କୁ ବୁଝାସୁଝା କରି ଛାଡ଼ି ଦିଆଯାଇଥିଲା। ଅନୁ ଗଣମାଧ୍ୟମକୁ କହିଛନ୍ତି ଯେ ସେ ସରକାରୀ ଅଧିକାରୀମାନଙ୍କୁ ଦେଖା କରିବାକୁ ଚାହାନ୍ତି। ଅନ୍ୟପକ୍ଷେ ଦିଲ୍ଲୀ ମହିଳା କମିସନ୍‌ ଅଧ୍ୟକ୍ଷ ସ୍ବାତୀ ମଲିୱାଲ୍‌ ଅଭିଯୋଗ କରିଛନ୍ତି ଅନୁଙ୍କୁ ପୁଲିସ ଦୁର୍ବ୍ୟବହାର କରିଛି। ସ୍ବାତୀ କହିଛନ୍ତି, ଯେତେବେଳେ ଜଣେ ଛାତ୍ରୀ ସ୍ବର ଉତ୍ତୋଳନ କରିବାକୁ ଚାହୁଛି ତାକୁ ପୁଲିସ ମାଡ଼ ମାରୁଛି। ଅନ୍ୟପକ୍ଷେ ଦିଲ୍ଲୀ ପୁଲିସ ପକ୍ଷରୁ ଏଭଳି ଅଭିଯୋଗକୁ ଖଣ୍ଡନ କରାଯାଇଛି ଏହା ସଂପୂର୍ଣ୍ଣ ମିଥ୍ୟା ବୋଲି କୁହାଯାଇଛି।

ଡାକ୍ତରଙ୍କୁ ବଳପୂର୍ବକ ମଦ ମିଶା କୋଲ୍ଡ ଡ୍ରିଙ୍କ୍‌ ପିଆଇଥିଲେ
ହାଇଦ୍ରାବାଦ୍‌ ଦୁଷ୍କର୍ମ ପରେ ହତ୍ୟାର ଶିକାର ହୋଇଥିବା ତେଲେଙ୍ଗାନା ଡାକ୍ତରଙ୍କୁ ଅଭିଯୁକ୍ତମାନେ ମଦ ମିଶା କୋଲ୍ଡ ଡ୍ରିଙ୍କ୍‌ ବଳପୂର୍ବକ ପିଆଇଥିଲେ।। ଜଘନ୍ୟ କାଣ୍ଡ ଘଟାଇବା ପୂର୍ବରୁ ଅଭିଯୁକ୍ତମାନେ ମଦ ମିଶା କୋଲ୍ଡ ଡ୍ରିଙ୍କ୍‌ ପିଇବା ପାଇଁ ବାଧ୍ୟ କରିଥିଲେ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ପୁଲିସ ସୂଚନାନୁଯାୟୀ ଅଭିଯୁକ୍ତମାନେ ତୋନ୍ଦୁପଲ୍ଳି ଗ୍ରାମରୁ ଗୋଟିଏ ବୋତଲ ହ୍ବିସ୍କି ଏବଂ କିଛି ସ୍ନାକ୍ସ କିଣିଥିଲେ। ଅଭିଯୁକ୍ତମାନେ ଅପରାଧ ଘଟାଇବା ସମୟରେ ମଦ୍ୟପାନ କରିଥିଲେ ଏବଂ ପୀଡ଼ିତା ଡାକ୍ତରଙ୍କୁ ବଳପୂର୍ବକ ମଦ ପିଆଇ ଦେଇଥିଲେ।