ଫୋନ୍‌ରେ ଟ୍ରମ୍ପ-ମୋଦୀ ୩୦ ମିନିଟ୍ ଆଲୋଚନା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ୩୦ ମିନିଟ୍‌ ଧରି ଟେଲିଫୋନ୍‌ରେ ପରସ୍ପର ସହିତ କଥାବାର୍ତ୍ତା ହୋଇଛନ୍ତି। କଶ୍ମୀର ସମେତ ଅନେକ ଦ୍ବିପାକ୍ଷିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ଉଭୟ ନେତା ଆଲୋଚନା କରିଛନ୍ତି।

ଆଲୋଚନାବେଳେ ପାକିସ୍ତାନର ନାମ ନ ନେଇ ମୋଦୀ କହିଛନ୍ତି, ଭାରତ ବିରୋଧୀ ହିଂସାକୁ ପଡ଼ୋଶୀ ନେତା ଉସ୍‌କାଉଛନ୍ତି। ଏହା ଶାନ୍ତି ପାଇଁ ଅନୁକୂଳ ନୂହେଁ ବୋଲି ମୋଦୀ କହିଛନ୍ତି। ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପାଇଁ ଭାରତ ନେଇଥିବା ପଦକ୍ଷେପକୁ ବିରୋଧ କରି ପାକିସ୍ତାନ ଜାତିସଂଘ ନିରାପତ୍ତା ପରିଷଦରେ ଅଭିଯୋଗ ଆଣିବାର କିଛିଦିନ ପରେ ଟ୍ରମ୍ପ ଏବଂ ମୋଦୀଙ୍କ ମଧ୍ୟରେ ଏହି ଆଲୋଚନା ଯଥେଷ୍ଟ ଗୁରୁତ୍ବ ବହନ କରୁଛି।

ଟ୍ରମ୍ପଙ୍କ ସହ ଆଲୋଚନାବେଳେ ମୋଦୀ ଆତଙ୍କ ଏବଂ ହିଂସାମୁକ୍ତ ବାତାବରଣ ସୃଷ୍ଟି ସହିତ ସୀମାପାର ଆତଙ୍କବାଦ ଦୂର କରିବା ଉପରେ ଗୁରୁତ୍ବ ଦେଇଛନ୍ତି।

ଦୁଇ ନେତାଙ୍କ ମଧ୍ୟରେ ଏହି ଅବସରରେ ଦ୍ବିପାକ୍ଷିକ ବାଣିଜ୍ୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି। ଗତ ଜୁନ୍‌ରେ ଜାପାନର ଓସାକାଠାରେ ଅନୁଷ୍ଠିତ ଜି-୨୦ ବୈଠକ ଅବସରରେ ଦୁଇ ନେତାଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହୋଇଥିଲା। ମୋଦୀ କହିଥିଲେ ଭାରତର ବାଣିଜ୍ୟ ମନ୍ତ୍ରୀ ଏବଂ ଆମେରିକାର ବାଣିଜ୍ୟ ପ୍ରତିନିଧିଙ୍କ ମଧ୍ୟରେ ନିକଟ ଭବିଷ୍ୟତରେ ଦ୍ବିପାକ୍ଷିକ ଆଲୋଚନା ହେବ। ଦୁଇ ଦେଶକୁ ହିତ ପହଞ୍ଚାଇବା ଭଳି ପ୍ରସଙ୍ଗ ଉପରେ ଆଗାମୀ ବୈଠକରେ କଥାବାର୍ତ୍ତା କରାଯିବ। ଦାରିଦ୍ର୍ୟ, ନିରକ୍ଷରତା ଏବଂ ବ୍ୟାଧି ବିରୋଧରେ ଯେଉଁମାନେ ଲଢ଼େଇ କରିବେ ଭାରତ ସେମାନଙ୍କୁ ସହଯୋଗ କରିବ ବୋଲି ମୋଦୀ ଏହି ଅବସରରେ ଟ୍ରମ୍ପଙ୍କୁ କହିଛନ୍ତି।

ଅଗଷ୍ଟ ୧୯ରେ ଆଫଗାନିସ୍ତାନ ଏହାର ସ୍ବାଧୀନତାର ଶହେ ବର୍ଷ ପୂରଣ କରୁଛି। ଏହି ପରିପ୍ରେକ୍ଷୀରେ ଏକ ସମନ୍ବିତ, ନିରାପଦ, ଗଣତାନ୍ତ୍ରିକ ଏବଂ ବାସ୍ତବରେ ସ୍ବାଧୀନ ଆଫାଗାନିସ୍ତାନ ଗଠନରେ ଭାରତର ଦୀର୍ଘ ଏବଂ ମଜବୁତ ପ୍ରତିଶ୍ରୁତିବଦ୍ଧତା ବିଷୟ ମୋଦୀ ଉଲ୍ଲେଖ କରିଛନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ନିୟମିତ ଯୋଗାଯୋଗରେ ରହିବା ବିଷୟକୁ ମଧ୍ୟ ମୋଦୀ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର