କୋଲକାତା: ସ୍ବାଧୀନତା ଦିବସରେ ହୁଗୁଳି ଜିଲ୍ଲାରେ ଜାତୀୟପତାକାକୁ ଅସମ୍ମାନିତ କରାଯାଇଥିଲା। ଏହା ଉପରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ କାଲ୍କାଟା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଖଲ କରିଥିଲେ। ହାଇକୋର୍ଟ ମାମଲାର ଶୁଣାଣି କରି ପଶ୍ଚିମବଙ୍ଗ ସରକାରଙ୍କୁ ଏହା ଉପରେ ଜବାବ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗ ଅନୁଯାୟୀ, ହୁଗୁଳି ଜିଲ୍ଲାରେ ଏକ ବିଦ୍ୟାଳୟରେ ସ୍ବାଧୀନତା ଦିବସରେ ଜାତୀୟପତାକାକୁ ଅସମ୍ମାନିତ କରାଯାଇଥିଲା। ଏହାକୁ ନେଇ ହିଂସାକାଣ୍ଡ ଆରମ୍ଭ ହୋଇଥିଲା। କିନ୍ତୁ ଏହି ହିଂସାକାଣ୍ଡରେ ମହିଳାଙ୍କ ସମେତ ପୀଡ଼ିତ ଲୋକମାନଙ୍କୁ ଗିରଫ କରାଯାଇଛି।
ଏହି ଘଟଣା ଉପରେ ମୁଖ୍ୟ ବିଚାରପତି ଟିଏସ୍ ଶିବଜ୍ଞାନମ୍ ଓ ଜଷ୍ଟିସ୍ ହିରଣ୍ମୟ ଭଟ୍ଟାଚାର୍ଯ୍ୟଙ୍କ ଖଣ୍ଡପୀଠ ଉଦ୍ବେଗ ପ୍ରକାଶ କରିଛନ୍ତି। ଜାତୀୟପତାକାକୁ ଅସମ୍ମାନିତ କରିବା ଓ ହିଂସାକାଣ୍ଡ ଘଟଣାରେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କ ବିରୋଧରେ ରାଜ୍ୟ ସରକାର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ଖଣ୍ଡପୀଠ କହିଛନ୍ତି। ତେବେ ରାଜ୍ୟ ସରକାର ଏପରି କୌଣସି ଘଟଣା ଘଟିଥିବା ଅଭିଯୋଗକୁ ଅସ୍ବୀକାର କରିଛନ୍ତି। ଏହା ଉପରେ କୋର୍ଟ ପ୍ରଶ୍ନ କରିଛନ୍ତି, ଯଦି ଜାତୀୟ ପତାକାକୁ ଅସମ୍ମାନିତ କରାଯିବା ଭଳି କୌଣସି ଘଟଣା ଘଟି ନାହିଁ, ତେବେ ୧୬-୧୭ ଜଣ ଲୋକଙ୍କୁ କାହିଁକି ଗିରଫ କରାଯାଇଛି? ରାଜ୍ୟ ସରକାର ଘଟଣାକୁ ନ ଲୁଚାଇ ସତକଥା ପ୍ରକାଶ କରିବାକୁ କୋର୍ଟ ଆଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କୁ କୋର୍ଟ କହିଛନ୍ତି- ଦୟାକରି ସତକଥା କୁହ।
ସବୁ କଥାକୁ ତୁମେ ରାଜନୀତିର ରଙ୍ଗ ବୋଳୁଛ, ତାହା ଠିକ୍ ନୁହେଁ। ଯଦି ତ୍ରିରଙ୍ଗାକୁ ଅସମ୍ମାନିତ କରାଯାଇଥିଲା, ତେବେ ସ୍କୁଲ କର୍ତ୍ତୃପକ୍ଷ ଓ ଅନ୍ୟମାନଙ୍କ ବୟାନ ରେକର୍ଡ କରାଯାଇଛି କି ନାହିଁ? ତୁମେ ଆଖି ବନ୍ଦ କରିଦେଲେ ସାରା ଦୁନିଆ ଅନ୍ଧାର ହୋଇଯିବ ନାହିଁ। ତେଣୁ ତୁମକୁ ସତ କହିବାକୁ ପଡ଼ିବ।
ଶୁଭେନ୍ଦୁ ଅଧିକାରୀଙ୍କ ଓକିଲ କହିଥିଲେ ଯେ, ଏ ପ୍ରସଙ୍ଗ ଏବେ ସାମ୍ପ୍ରଦାୟିକ ରୂପ ନେଲାଣି ଏବଂ ସଂଖ୍ୟାଗରିଷ୍ଠ ସମ୍ପ୍ରଦାୟକୁ ସୁରକ୍ଷା ପ୍ରଦାନ କରାଯିବାର ଆବଶ୍ୟକତା ରହିଛି। କୋର୍ଟ କହିଥିଲେ, ସ୍ବାଧୀନତା ଦିବସରେ ସମସ୍ତଙ୍କୁ ଜାତୀୟ ପତାକା ଉତ୍ତୋଳନ କରିବାର ଅଧିକାର ରହିଛି। ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଏପରି ଘଟଣା ଘଟିଥିବାରୁ କୋର୍ଟ ଏହାକୁ ନିନ୍ଦା କରିଥିଲେ। ଫ୍ଲାଗ୍ କୋଡ୍ର ଅନୁପାଳନ କରିବା ରାଜ୍ୟ ସରକାରଙ୍କ ଦାୟିତ୍ବ ବୋଲି କୋର୍ଟ କହିଥିଲେ। ପଶ୍ଚିମବଙ୍ଗ ଗୃହ ବିଭାଗର ପ୍ରମୁଖ ସଚିବ ଅଭିଯୋଗ ଉପରେ ତୁରନ୍ତ ଉତ୍ତର ପ୍ରଦାନ କରିବା ପାଇଁ କୋର୍ଟ ଆଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/564h654hfsfhfsh.jpg)