‘ସରକାରଙ୍କୁ କହନ୍ତୁ, ସବରିମାଲା ପ୍ରସଙ୍ଗରେ ଆମର ମତଭେଦ ଭିତ୍ତିକ ରାୟକୁ ପଢ଼ିବେ’: ଆଟର୍ଣ୍ଣି ଜେନେରାଲ ତୁଷାର ମେହେଟ୍ଟାଙ୍କୁ କହିଲେ ଜଷ୍ଟିସ୍‌ ଆର୍‌ଏଫ୍‌ ନରିମାନ

ନୂଆଦିଲ୍ଲୀ: ‘ଆପଣଙ୍କ ସରକାରଙ୍କୁ କହନ୍ତୁ, ସବରିମାଲା ପ୍ରସଙ୍ଗରେ ଆମେ ପ୍ରଦାନ କରିଥିବା ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ମତଭେଦ ଭିତ୍ତିକ ରାୟକୁ ପଢ଼ିବେ’। ଆଜି ଭରପୂର କୋର୍ଟ ରୁମ୍‌ରେ ଦେଶର ଆଟର୍ଣ୍ଣି ଜେନେରାଲ ତୁଷାର ମେହେଟ୍ଟାଙ୍କୁ ଏକଥା କହିଛନ୍ତି ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ୍‌ ଆର୍‌ଏଫ୍‌ ନରିମାନ। ଉଲ୍ଲେଖଯୋଗ୍ୟ, ସବରିମାଲା ରାୟର ସମୀକ୍ଷା ଆବେଦନର ଶୁଣାଣି ପାଇଁ ଗଠିତ ହୋଇଥିବା ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠର ଅନ୍ୟତମ ବିଚାରପତି ଥିଲେ ଜଷ୍ଟିସ୍‌ ଆର୍‌ଏଫ୍‌ ନରିମାନ।

ସବରିମାଲା ରାୟର ସମୀକ୍ଷା ଆବେଦନର ଶୁଣାଣି ପାଇଁ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠର ଅନ୍ୟ ୪ ବିଚାରପତି ଥିଲେ ଜଷ୍ଟିସ୍‌ ଆର୍‌ ଏଫ୍‌ ନରିମାନ୍‌, ଜଷ୍ଟିସ୍‌ ଏଏମ୍‌ ଖାନ୍‌ୱିଲ୍‌କର, ଜଷ୍ଟିସ୍‌ ଡି ୱାଇ ଧ୍ୟାନଚୂଡ଼ ଓ ଜଷ୍ଟିସ୍‌ ଇନ୍ଦୁ ମାଲହୋତ୍ରା। ଗତକାଲି ସୁପ୍ରିମ୍‌ କୋର୍ଟ ଏହି ମାମଲାର ରାୟ ଘୋଷଣା କରି ଏହି ମାମଲାକୁ ୩;୨ ବହୁମତରେ ୭ ଜଣିଆ ବିଚାରପତି ବିଶିଷ୍ଟ ଖଣ୍ଡପୀଠଙ୍କୁ ପଠାଇଦେବା ପାଇଁ ସୁପାରିସ କରିଥିଲେ। ମାମଲାର ବିଚାର ସମୟରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ, ବିଚାରପତି ଏଏମ୍‌ ଖାନ୍‌ୱିଲ୍‌କର ଏବଂ ବିଚାରପତି ଇନ୍ଦୁ ମାଲହୋତ୍ରା ସବରିମାଳା ମାମଲା ୭ ଜଣିଆ ଖଣ୍ଡପୀଠ ଦ୍ବାରା ବିଚାର ହେଉ ବୋଲି ମତ ରଖିଥିଲେ। ଏହି ତିନି ଜଣ ନିଜ ରାୟରେ କହିଥିଲେ ଯେ ଧାର୍ମିକ ବିଶ୍ୱାସ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ଏହା ବଡ଼ ଖଣ୍ଡପୀଠରେ ବିଚାର ଆବଶ୍ୟକ କରୁଛି।

ତେବେ, ଏହି ପାଞ୍ଚଜଣିଆ ସମ୍ବିଧାନ ଖଣ୍ଡପୀଠର ଅନ୍ୟ ଦୁଇ ବିଚାରପତି ଆର୍‌ଏଫ୍‌ ନରିମାନ୍‌ ଏବଂ ବିଚ‌ାରପତି ଡିୱାଇ ଚନ୍ଦ୍ରଚୂଡ଼ ଭିନ୍ନ ମତ ପୋଷଣ କରି ମାମଲାକୁ ଖାରଜ କରିଦେବା ପାଇଁ ମତ ଦେଇଥିଲେ। ଏବଂ ଭିନ୍ନ ମତ ସମ୍ବଳିତ ଏହି ରାୟକୁ ଲେଖିଥିଲେ ବିଚାରପତି ଆର୍‌ଏଫ୍‌ ନରିମାନ୍‌।

News India

ଆଜି କର୍ଣ୍ଣାଟକର କଂଗ୍ରେସ୍ ନେତା ଡିକେ ଶିବକୁମାରଙ୍କୁ ଦିଲ୍ଲୀ ହାଇକୋର୍ଟ ପ୍ରଦାନ କରିଥିବା ଜାମିନ୍‌କୁ ବିରୋଧ କରି ଏହାକୁ ଖାରଜ କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ସୁପ୍ରିମ୍‌ କୋର୍ଟରେ ଆଗତ ଏକ ମାମଲାର ପରିଚାଳନା କରିବାକୁ ଆଟର୍ଣ୍ଣି ଜେନେରାଲ ତୁଷାର ମେହେଟ୍ଟା ଯେତେବେଳେ ବିଚାରପତି ଜଷ୍ଟିସ୍‌ ଆର୍‌ଏଫ୍‌ ନରିମାନଙ୍କ ଅଦାଲତରେ ପହଞ୍ଚିଥିଲେ ସେତେବେଳେ ତାଙ୍କୁ ଏହି କଥା କହିଥିଲେ ବିଚାରପତି ଆର୍‌ଏଫ୍‌ ନରିମାନ। ‘ଆପଣଙ୍କ ସରକାରଙ୍କୁ କହନ୍ତୁ, ଦୟାକରି ସବରିମାଲା ପ୍ରସଙ୍ଗରେ ଆମେ ଗତକାଲି ପ୍ରଦାନ କରିଥିବା ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ମତଭେଦ ଭିତ୍ତିକ ରାୟକୁ ପଢ଼ିବେ କାରଣ ଏହା ଯେତିକି ମହତ୍ତ୍ବପୁର୍ଣ୍ଣ, ସେତିକି ଗୁରୁତ୍ବପୂର୍ଣ୍ଣ ମଧ୍ୟ’ ବୋଲି କହିଥିଲେ ବିଚାରପତି ଆର୍‌ଏଫ୍‌ ନରିମାନ।

ସମ୍ବନ୍ଧିତ ଖବର