ଛତିଶଗଡରେ ମନ୍ଦିର ଭଙ୍ଗାରୁଜା; ହନୁମାନଙ୍କ ମୂର୍ତ୍ତି ଭାଙ୍ଗି ପୋଖରୀରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ରାୟପୁର: ଛତିଶଗଡର ଜାଂଜଗୀରଚାମ୍ପା ଜିଲ୍ଲାରେ ଗୁରୁବାର ସକାଳେ ଦୁର୍ବୃତ୍ତମାନେ ଦୁଇଟି ଅଲଗା ଅଲଗା ସ୍ଥାନରେ ଭଗବାନ ହନୁମାନଙ୍କ ମନ୍ଦିରରେ ଭଙ୍ଗାରୁଜା କରି ମୂର୍ତ୍ତି ଭାଙ୍ଗି ଦେଇଛନ୍ତି। ମନ୍ଦିରରେ ଲାଗିଥିବା ପତାକା ଓ ମୂର୍ତ୍ତିକୁ ଫିଙ୍ଗି ଦେଇଛନ୍ତି। ଏହାକୁ ନେଇ ସହରରେ ଉତ୍ତେଜନା ଦେଖା ଦେଇଛି। ଭାରତୀୟ ଜନତା ଯୁବ ମୋର୍ଚ୍ଚା(ବିଜେଓ୍ଵାଇଏମ୍) ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର କାର୍ଯ୍ୟକର୍ତ୍ତାମାନେ ସଡକ ଅବରୋଧ କରିଥିଲେ। ପୁଲିସ ବୁଝାଶୁଝା କରିବା ପରେ ସେମାନେ ରାସ୍ତାରୁ ହଟିଥିଲେ। ପୁଲିସ ଏହି ମାମଲାରେ ଧାର୍ମିକଭାବନାକୁ ଆଘାତ କରିଥିବା ଅଭିଯୋଗରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଜଣେ ଅଭିଯୁକ୍ତ ଫେରାର ଅଛି। ପୁଲିସ ମାମଲାର ଯାଞ୍ଚ ଜାରି ରଖିଛି।

ରିପୋର୍ଟ ଅନୁସାରେ, ଅଜ୍ଞାତ ଅସାମାଜିକ ଲୋକମାନେ ପ୍ରଥମେ ମନ୍ଦିରର ତାଲା ଭାଙ୍ଗିଥିଲେ ଓ ଏହାପରେ ମନ୍ଦିର ଭିତରକୁ ଯାଇ ହନୁମାନଙ୍କ ମୂର୍ତ୍ତି ଭାଙ୍ଗି ଦେଇଥିଲେ। ଭାଙ୍ଗିଥିବା ମୂର୍ତ୍ତିକୁ ପୁଲିସ ପାଖରେ ଥିବା ଜଳାଶୟରୁ ଉଦ୍ଧାର କରିଛି। ଘଟଣା ବିଷୟରେ ଜଣାପଡିବା ପରେ ଘଟଣାସ୍ଥଳରେ ଲୋକେ ଜମା ହୋଇଯାଇଥିଲେ।

ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ମିସଦା ପଞ୍ଚାୟତର ପ୍ରତିନିଧି ମହେଶ୍ଵର ଶୁକ୍ଳା କହିଛନ୍ତି, ଏହି ମନ୍ଦିରକୁ ଗତବର୍ଷ ହିଁ ଗ୍ରାମର ଯୁବକମାନେ ତିଆରି କରିଥିଲେ। ଏଠାରେ ଗୋଟିଏ ମାଙ୍କଡର ମୃତ୍ୟୁ ହୋଇଯାଇଥିଲା। ଏହାପରେ ମାଙ୍କଡକୁ ପୋତି ଦେଇ ଏହାର ସ୍ମୃତି ସ୍ଵରୂପ ମନ୍ଦିରକୁ ଗଢ଼ାଯାଇଥିଲା। ମନ୍ଦିରକୁ ଭଙ୍ଗାଯାଇଥିବାରୁ ଧାର୍ମିକ ଭାବନା ଆଘାତ ହୋଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର