ରାଜସ୍ଥାନ: ସମ୍ପତ୍ତି ବିବାଦକୁ ନେଇ ମନ୍ଦିର ପୁରୋହିତଙ୍କୁ ଜୀବନ୍ତ ଜାଳିଦେଲେ ଦୁର୍ବୃତ୍ତ

ଜୟପୁର: ରାଜସ୍ଥାନର କରୌଲି ଜିଲ୍ଲାରେ ଜନୈକ ୫୦ ବର୍ଷ ବୟସ୍କ ମନ୍ଦିର ପୁରୋହିତଙ୍କୁ କେତେକ ଦୁର୍ବୃତ୍ତ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଛନ୍ତି। ଖବର ମୁତାବକ, ପୁରୋହିତ ମନ୍ଦିର କର୍ତ୍ତୃପକ୍ଷଙ୍କ ଅଧୀନରେ ଥିବା ଜମି ଉପରେ ଜବରଦଖଲକୁ ବିରୋଧ କରିବା କାରଣରୁ ଦୁର୍ବୃତ୍ତମାନେ ତାଙ୍କ ସହ ଏପରି ନାରକୀୟ କାଣ୍ଡ ଘଟାଇଛନ୍ତି।

ହସ୍ତଗତ ରିପୋର୍ଟରୁ ପ୍ରକାଶ, ମନ୍ଦିର ପୁରୋହିତ ବାବୁଲାଲ ବୈଷ୍ଣବ ଏବଂ ତାଙ୍କ ପରିବାର ଗାଁର ଏକ ରାଧା କୃଷ୍ଣ ମନ୍ଦିରର ରକ୍ଷଣାବେକ୍ଷଣ କରୁଥିଲେ ଏବଂ ମନ୍ଦିର ନାମରେ ଆବଣ୍ଟିତ ହୋଇଥିବା ଆଖପାଖ ଅଞ୍ଚଳର ଜମି ସେମାନଙ୍କ ଚାଷ ପାଇଁ ବ୍ୟବହାର କରୁଥିଲେ। ଗୁରୁବାର ଦିନ ପ୍ରାୟ ୧୦ଟା ବେଳେ ଅଭିଯୁକ୍ତ କୈଳାଶ କିଛି ଲୋକଙ୍କ ସହ ଆସି ସେହି ଜମିକୁ ଜବରଦଖଲକୁ ନେଇ ସେଠାରେ ସେଡ୍‌ ଲଗାଇବା ଆରମ୍ଭ କରିଥିଲେ। ଯେତେବେଳେ ବୈଷ୍ଣବ ଏହାର ବିରୋଧ କଲେ, ସେମାନେ ବୁକନା ଗ୍ରାମରେ ତାଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଜୟପୁରର ଏସଏମଏସ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ଗୁରୁବାର ରାତିରେ ତାଙ୍କର ପରାଲୋକ ହୋଇ ଯାଇଥିଲା।

ଏହି ଘଟଣା ପରେ ଅପରାଧର ଗମ୍ଭୀରତାକୁ ଦେଖି ପୁଲିସ୍‌ ଏସପି ଏକ ସ୍ୱତନ୍ତ୍ର ଦଳ ଗଠନ କରି ଅପରାଧୀଙ୍କୁ ଖୋଜିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣାର ତୀବ୍ର ନିନ୍ଦା କରିଛନ୍ତି ବିଜେପି ନେତ୍ରୀ ବସୁନ୍ଧରା ରାଜେ। ଏଥିସହ ପୀଡ଼ିତଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ମଧ୍ୟ ସେ ଦାବୀ କରିଛନ୍ତି।

ସମ୍ବନ୍ଧିତ ଖବର