ଆତ୍ମଘାତୀ ବୋମାଧାରୀ ମନ୍ଦିର, ଘର ଉଡ଼ାଇବାକୁ ଯୋଜନା କରିଥିଲା: ଏନ୍‌ଆଇଏ

ତାମିଲନାଡ଼ୁରେ ଚାଞ୍ଚଲ୍ୟ

କୋଏମ୍ବାଟୁର: ଗତ ରବିବାର କୋଏମ୍ବାଟୁରର ଏକ ମନ୍ଦିର ସାମନାରେ କାର୍ ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ୨୯ ବର୍ଷୀୟ ଇଂଜିନିୟର ସ୍ନାତକ ମୁବିନ ଜଣେ ଆତ୍ମଘାତୀ ଆକ୍ରମଣକାରୀ ଥିଲା। ତଦନ୍ତକାରୀ ଏଜେନ୍ସି ଏନ୍‌ଆଇଏର କହିବା ଅନୁସାରେ ଏହି ବୋମାକୁ ସମ୍ଭାଳିବାରେ ଅନୁଭବହୀନତା ଯୋଗୁ ମନ୍ଦିର ଓ ଆଖପାଖ ଇଲାକାରେ କୌଣସି ବଡ଼ କ୍ଷତି ହୋଇ ନାହିଁ। ଜଣେ ପ୍ରତ୍ୟକ୍ଷଦର୍ଶୀ ପୁଲିସକୁ କହିଛି ଯେ, ଦିୱାଲି ପୂର୍ବ ସନ୍ଧ୍ୟା ପରେ ଭୋର ୪ଟାରେ କୋଟ୍ଟେମେଡ଼ୁରେ ସଂଗମେଶ୍ବର ମନ୍ଦିର ସାମନାରେ ଏକ କାର ଅଟକିଥିଲା ଓ ସେଥିରେ ବିସ୍ଫୋରଣ ହୋଇଥିଲା।

ପୁଲିସର କହିବା ଅନୁସାରେ ଯଦି ବିସ୍ଫୋରକ ସହ କାର ଭିତରେ ଥିବା ଦୁଇଟି ଏଲ୍‌ପିଜି ସିଲିଣ୍ଡର ମଧ୍ୟରୁ ଗୋଟିଏ ବି ଫାଟିଥାନ୍ତା ତେବେ ବିସ୍ଫୋରଣ ଅଧିକ ଭୟାନକ ହୋଇଥାନ୍ତା ଏବଂ ପାଖଆଖ ଘର ଓ ମନ୍ଦିର ବି ଜଳିଯାଇଥାନ୍ତା। ମୁବିନ ଆଇଏସ୍ଆଇଏସ୍‌ର କଟ୍ଟରପନ୍ଥୀ ବିଚାରଧାରା ଦ୍ବାରା ପ୍ରଭାବିତ ହୋଇଥିଲା। ଏହି ମାମଲାରେ ଏ ପର୍ଯ୍ୟନ୍ତ ଛଅଜଣଙ୍କୁ ଗିରଫ କରାଯାଇଛି। ସମସ୍ତେ ଆଇଏସ୍‌ଆଇଏସ୍ ଆତଙ୍କବାଦୀ ସଂଗଠନ ଦ୍ବାରା ପ୍ରଭାବିତ ଓ ପରିଚାଳିତ ହେଉଥିଲେ। ସେମାନଙ୍କୁ ପଚରାଉଚରାରୁ ଜଣାପଡ଼ିଛି ଯେ ମୁବିନ ଜଣେ ଆତ୍ମଘାତୀ ବିସ୍ଫୋରଣକାରୀ ଥିଲା। ସେ ଭାବିଥିଲା ତା’ର ଆତ୍ମଘାତୀ ବିସ୍ଫୋରଣ ଦ୍ବାରା ୫୦ରୁ ୧୦୦ ମିଟର ଦୂରରେ ଥିବା ମନ୍ଦିର ଓ ଘରଗୁଡ଼ିକ କ୍ଷତିଗ୍ରସ୍ତ ହେବ।

ସମ୍ବନ୍ଧିତ ଖବର