ନୂଆଦିଲ୍ଲୀ: ପାକିସ୍ତାନରେ ପୁଣି ଥରେ ହିନ୍ଦୁ ମନ୍ଦିରକୁ ନଷ୍ଟ କରାଯାଉଥିବାର ଖବର ସାମ୍ନାକୁ ଆସିଛି। ମଙ୍ଗଳବାର ଦିନ ପାକିସ୍ତାନ ପୁଲିସ କହିଛି ଯେ ଲୋକମାନେ କରାଚିର ନାରାୟଣପୁରର ନାରାୟଣ ମନ୍ଦିର ଉପରେ ଆକ୍ରମଣ କରି ମୂର୍ତ୍ତିଗୁଡ଼ିକୁ ନଷ୍ଟ କରି ଦେଇଛନ୍ତି।

Advertisment

ବରିଷ୍ଠ ପୁଲିସ ଅଧିକାରୀ ସରଫରାଜ ନୱାଜ କହିଛନ୍ତି ଯେ ହିନ୍ଦୁ ମନ୍ଦିର ଭଙ୍ଗାରୁଜା କରିବା ଘଟଣାରେ ଜଣେ ବ୍ୟକ୍ତିକୁ ଚିହ୍ନଟ କରାଯାଇଛି। ଉକ୍ତ ବ୍ୟକ୍ତିକୁ ପୁଲିସ ଗିରଫ ମଧ୍ୟ କରି ନେଇଛି। ଗିରଫ ହୋଇଥିବା ବ୍ୟକ୍ତି ଜଣକ ନାମ ମହମ୍ମଦ ୱାଲିଦ ଶବ୍ବୀର ବୋଲି ଜଣାପଡିଛି।

ପୁଲିସ ଅଧିକାରୀଙ୍କ କହିବାନୁସାରେ, ମନ୍ଦିରରେ ଭଙ୍ଗାରୁଜା ଅଭିଯୋଗ ମୁକେଶ କୁମାର ନାମକ ଜଣେ ବ୍ୟକ୍ତି କରିଥିଲେ। ପୁଲିସ ନିକଟରେ ଅଭିଯୋଗ କରି ମୁକେଶ କହିଥିଲେ, ସେ ନାରାୟଣ ମନ୍ଦିରକୁ ପୂଜା କରିବା ପାଇଁ ପତ୍ନୀଙ୍କୁ ଧରି ଯାଇଥିଲେ। ଏହି ସମୟରେ ମହମ୍ମଦ ୱାଲିଦ ଶବ୍ବୀର ନାମକ ବ୍ୟକ୍ତି ମନ୍ଦିର ଭିତରେ ପଶି ଯାଇଥିଲା। ଆଉ ହାତୁଡ଼ି ସାହାଯ୍ୟରେ ମନ୍ଦିର ଭିତରେ ଥିବା ସମସ୍ତ ମୂର୍ତ୍ତିକୁ ଭାଙ୍ଗି ନଷ୍ଟ କରି ଦେଇଥିଲା। ଏହାପରେ ଲୋକେ ଅଭିଯୁକ୍ତକୁ ଧରି ପୁଲିସ ଜିମା ଦେଇଥିଲେ।

ଏହି ଘଟଣାପରେ ହିନ୍ଦୁମାନେ ଏକାଠି ହୋଇ ଥାନା ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ। ସରକାର ଓ ପୁଲିସ ଠାରୁ ସୁରକ୍ଷା ଦାବି କରିଥିଲେ। ଲୋକମାନେ ଅଭିଯୋଗ କରି କହିଥିଲେ କି, ଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ଘଟଣା ସାଧାରଣ ହୋଇଯାଇଛି। ଯାହାଦ୍ବାରା ସମସ୍ତ ହିନ୍ଦୁ ଅସୁରକ୍ଷିତ ମନେ କରୁଛନ୍ତି।