ପାକିସ୍ତାନରେ ଏକ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା, ୪ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧ ମାମଲା ରୁଜୁ

ନୂଆଦିଲ୍ଲୀ: ପାକିସ୍ତାନରେ ଏକ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା ହୋଇଥିବାର ଖବର ମିଳିଛି। ପାକିସ୍ତାନର ସିନ୍ଧ ପ୍ରଦେଶରେ ଥିବା ଥର ଜିଲ୍ଲା ଅନ୍ତର୍ଗତ ଛାଚ୍ରୋ ସହର ନିକଟବର୍ତ୍ତୀ ଏକ ଗାଁର ମାତା ଦେବାଲ ଭିଟ୍ଟାନି ମନ୍ଦିରରେ ଏଭଳି କାଣ୍ଡ ଘଟିଥିବା ଜଣାଯାଇଛି। କୁହାଯାଉଛି ଯେ ୪ଜଣ ଅସାମାଜିକ ଲୋକ ରବିବାର ରାତିରେ ମାତା ଦେବାଲ ଭିଟ୍ଟାନି ମନ୍ଦିରରେ ଭଙ୍ଗାରୁଜା କରିଛନ୍ତି। ସୂଚନାଯୋଗ୍ୟ ଉକ୍ତ ଗାଁରେ ବହୁ ହିନ୍ଦୁ ବସବାସ କରନ୍ତି । ସେଠାରେ ଅନେକ ବର୍ଷରୁ ମାତା ଦେବାଲ ଭିଟ୍ଟାନି ମନ୍ଦିର ରହିଛି।
ଏହି ଘଟଣା ସଂପର୍କରେ ପାକିସ୍ତାନର ବହୁ ସମ୍ବାଦପତ୍ରରେ ଖବର ପ୍ରକାଶ ପାଇଛି । ପାକିସ୍ତାନର ବହୁଳ ପ୍ରସାରିତ ଦୈନିକ ସମ୍ବାଦପତ୍ର ‘ଡନ୍’ ଏ ବାବଦରେ ଫଟୋ ଓ ଖବର ପ୍ରକାଶ କରିଥିବା ଜଣାଯାଇଛି। ଏଥିରେ ପ୍ରକାଶିତ ହୋଇଛି ଯେ ୪ଜଣ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧ ମାମଲା ରୁଜୁ କରାଯାଇ ପୁଲିସ୍ ଘଟଣାର ତଦନ୍ତ କରୁଛି। ସ୍ଥାନୀୟ ଲୋକମାନଙ୍କୁ ସିସିଟିଭି ଫୁଟେଜ୍ ସହାୟତାରେ ଭଙ୍ଗାରୁଜା କରିଥିବା ଲୋକମାନଙ୍କୁ ଚିହ୍ନଟ କରିବାର ଚେଷ୍ଟା କରାଯାଉଛି ।

ଏ ସଂପର୍କରେ ସିନ୍ଧ ପ୍ରଦେଶର ମୁଖମନ୍ତ୍ରୀଙ୍କ ମାନବିକ ଅଧିକାର ପରାମର୍ଶଦାତା ଆଇନଜୀବୀ ବୀରଜି କୋହଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ବିଭିନ୍ନ ସଂପ୍ରଦାୟ ମଧ୍ୟରେ ତିକ୍ତତା ସୃଷ୍ଟି କରିବା ଉଦ୍ଦେଶ୍ୟରେ କିଛି ଖଳ ପ୍ରକୃତିର ଲୋକ ଏଭଳି କାମ କରିଛନ୍ତି। ଏଥିରେ ଉତ୍ତେଜିତ ନ ହୋଇ ସମସ୍ତେ ଶାନ୍ତ ରହିବାକୁ ସେ ଅନୁରୋଧ କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ଏବେ ପ୍ରାୟ ୭୫ ଲକ୍ଷ ହିନ୍ଦୁ ପାକିସ୍ତାନରେ ବସବାସ କରୁଛନ୍ତି । ସେମାନଙ୍କ ମଧ୍ୟରୁ ସବୁଠାରୁ ଅଧିକସଂଖ୍ୟକ ସିନ୍ଧ ପ୍ରଦେଶରେ ଅଛନ୍ତି।

ସମ୍ବନ୍ଧିତ ଖବର