ଏଡିମୋନଟନ୍: କିଛି ମାସର ବ୍ୟବଧାନ ପରେ ପୁଣି କାନାଡ଼ାର ଏଡିମୋନଟନ୍ରେ ଥିବା ସ୍ବାମୀ ନାରାୟଣ ମନ୍ଦିରରେ ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିବା ସହ କାନ୍ଥରେ ପ୍ରଧାନମନ୍ତ୍ରୀ ମୋଦୀ ଓ କାନାଡ଼ା ସାଂସଦ ଚନ୍ଦ୍ର ଆର୍ଯ୍ୟଙ୍କ ବିରୋଧରେ ଘୃଣାପୂର୍ଣ୍ଣ ମନ୍ତବ୍ୟ ଲେଖିଛନ୍ତି। ଏହି ଘଟଣାରେ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯିବା ସହ ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନର ଦାବି କରାଯାଇଛି।
ଆଜି କାନାଡ଼ାର ସାଂସଦ ଚନ୍ଦ୍ର ଆର୍ଯ୍ୟ ଏହି ଘଟଣାକୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପ୍ରକାଶ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ଏଡିମୋନଟନ୍ର ବିଏପିଏସ୍ ସ୍ବାମୀନାରାୟଣ ମନ୍ଦିରକୁ ପୁଣିଥରେ ଭଙ୍ଗାରୁଜା କରାଯାଇଛି। ଗତ କିଛି ବର୍ଷ ମଧ୍ୟରେ ଟରୋଣ୍ଟ, ବ୍ରିଟିସ କଲମ୍ବିଆ ଓ କାନାଡ଼ାର ଅନ୍ୟ ଅଞ୍ଚଳର ହିନ୍ଦୁ ମନ୍ଦିରରେ ଏଭଳି ଭଙ୍ଗାରୁଜା ଘଟଣା ବୃଦ୍ଧି ପାଇଛି। ଏହି ସମସ୍ତ ଘଟଣା ପଛରେ ଶିଖ୍ସ ଫର ଜଷ୍ଟିସର ହାତ ରହିଛି। ଗତବର୍ଷ ଗୁରପନ୍ତୱନ୍ତ ସିଂହ ପନ୍ନୁ ହିନ୍ଦୁଙ୍କୁ ଭାରତ ଫେରିଯିବାକୁ ଚେତାବନୀ ଦେଇଥିଲା। ବ୍ରାମ୍ପଟନ୍ ଓ ଭାନ୍କୋଭରରେ ପନ୍ନୁର ସମର୍ଥକମାନେ ହାତରେ ମାରଣାସ୍ତ୍ର ଧରି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାର ଉତ୍ସବ ପାଳନ କରିଥିଲେ।