ବିଜେପି ବିଧାୟିକାଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପରେ ମନ୍ଦିରକୁ ଗଙ୍ଗାଜଳରେ ଧୋଇବା ସହ ମୂର୍ତ୍ତିକୁ ଗଙ୍ଗା ନଦୀରେ ଧୋଇ ପବିତ୍ର କରିବା ପାଇଁ ପଠାଇଲେ ଗ୍ରାମବାସୀ ଓ ପୂଜକ

ନୂଆଦିଲ୍ଲୀ: ଭାରତର ବିଭିନ୍ନ ମନ୍ଦିର ଓ ଦେବାଳୟ ମଧ୍ୟକୁ ମହିଳା ମାନଙ୍କର ପ୍ରବେଶକୁ ନେଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସଂପ୍ରତି ଏକାଧିକ ମାମଲାର ଶୁଣାଣି ଜାରି ରଖଛନ୍ତି। ଏହି ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶରେ ଥିବା ଏକ ମନ୍ଦର ମଧ୍ୟକୁ ଜନୈକା ବିଜେପି ମହିଳା ବିଧାୟିକା ଯାଇ ଦର୍ଶନ କରି ଫେରିବା ପରେ ଗ୍ରାମବାସୀ ଓ ସଂପୃକ୍ତ ମନ୍ଦିରର ପୂଜକ ମନ୍ଦରକୁ ଗଙ୍ଗା ଜଳରେ ଧୋଇବା ସହ ମନ୍ଦରରେ ପୂଜା ପାଉଥିବା ଦେବତାଙ୍କ ମୂର୍ତ୍ତିକୁ ଗଙ୍ଗା ନଦୀରେ ଧୋଇ ପବିତ୍ର କରିବା ପାଇଁ ଏହ୍ଲାବାଦ ପଠାଇବା ଘଟଣା ଦେଶବ୍ୟାପି ଆଲୋଡ଼ନ କରିଛି। ଏହି ଘଟଣା ଘଟିଛି ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାରେ। ଶାସକ ବିଜେପି ଦଳର ଜନୈକା ମହିଳା ବିଧାୟିକା ମନୀଷା ଅନୁରାଗୀ ସେଠାରେ ଥିବା ଏକ ମନ୍ଦରକୁ ଯାଇ ପୂଜାର୍ଚ୍ଚନା ସାରି ଫେରିବା ପରେ ସେଠାରେ ଏହି ଅଭାବନୀୟ ଘଟଣା ଘଟିଥିଲା।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଉତ୍ତରପ୍ରଦେଶ ରଥ୍‌ ବିଧାନସଭା କ୍ଷେତ୍ରର ବିଜେପି ବିଧାୟିକା ମନୀଷା ଅନୁରାଗୀ, ତାଙ୍କର ବିଧାନସଭା କ୍ଷେତ୍ର ମଧ୍ୟରେ ଏହି ଗ୍ରାମରେ ଥିବା ବିଦ୍ୟାଳୟକୁ ଷ୍ଟେସନାରି ସାମଗ୍ରୀ ବଣ୍ଟନ କରିବା ଉଦ୍ଦେଶ୍ୟରେ ଆସିଥିଲେ। ଏହି ଅବସରରେ ସେ ସେହି ଗ୍ରାମରେ ଥିବା ଧୂମ୍ର ଋଷିଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ଧୂମ୍ର ଋଷି ହେଉଛନ୍ତି ମହାଭାରତ ଯୁଗର ଜଣେ ଋଷି। ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି ଯେ ଏହି ଋଷି ତାଙ୍କ ସମ୍ମୁଖରେ ମହିଳା ମାନଙ୍କର ଉପସ୍ଥିତି ଚାହୁଁ ନଥିଲେ। ତେଣୁ, ଏହି ମନ୍ଦିରର ପୂଜକ ଓ ଗ୍ରାମବାସୀମାନେ ମହିଳା ମାନଙ୍କୁ ଏହି ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ଦିଅନ୍ତି ନାହିଁ।

ଏସଂପର୍କରେ ମନ୍ଦିରର ପୂଜକ ଗଣମାଧ୍ୟମକୁ କହିଛନ୍ତି, ‘ଆଜି ପର୍ଯ୍ୟନ୍ତ କେହି ଜଣେ ବି ହେଲେ ମହିଳା ଏହି ମନ୍ଦିର ମଧ୍ୟକୁ ପ୍ରବେଶ କରି ନଥିଲେ। ମୁଁ ଅନୁପସ୍ଥିତ ଥିବାର ସୁଯୋଗ ନେଇ ବିଧାୟିକା ମନ୍ଦର ମଧ୍ୟକୁ ପ୍ରବେଶ କରିଗଲେ। ମୁଁ ଉପସ୍ଥିତ ଥିଲେ, ତାଙ୍କୁ କଦାପି ହେଲେ ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ଦେଇ ନଥାନ୍ତି।’

ଅନ୍ୟ ପକ୍ଷରେ ବିଧାୟିକା ମନୀଷା ଅନୁରାଗୀ ଏ ଘଟଣା ପରେ ନିଜର ପ୍ରତିକ୍ରିୟା ପ୍ରକାଶ କରି ଗଣମାଧ୍ୟମକୁ କହିଛନ୍ତି, ‘ଏ ଘଟଣା ହେଉଛି ସମଗ୍ର ନାରୀ ଜାତି ପ୍ରତି ଏକ ଅପମାନ। କିଛି ଅର୍ଦ୍ଧ ଶିକ୍ଷିତ ଲୋକ ଏପରି କାଣ୍ଡ ଭିଆଇଛନ୍ତି। ମନ୍ଦର ଏକ ସର୍ବସାଧାଣ ସ୍ଥାନ। ତା ମଧ୍ୟକୁ ଯେକେହି ବି ଯାଇ ପାରିବେ।’

ସମ୍ବନ୍ଧିତ ଖବର