ନୂଆଦିଲ୍ଲୀ : ଗୁରୁଗ୍ରାମର ଟେନିସ ଖେଳାଳି ରାଧିକା ଯାଦବଙ୍କୁ ଗତକାଲି ତାଙ୍କ ବାପା ଗୁଳିକରି ହତ୍ୟା କରିବା ମାମଲାରେ ଆଜି କେତେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ରାଧିକାଙ୍କ ଶରୀରରେ ପଛପଟୁ ୩ଟି ଗୁଳି ବାଜିଛି ବୋଲି ମାମଲାରେ ରୁଜୁ ହୋଇଥିବା ଏତଲାରେ ଦର୍ଶାଯାଇଥିବା  ଶବ ବ୍ୟବଚ୍ଛେଦ ରିପୋର୍ଟ ଭିନ୍ନ କଥା କହୁଛି।  ରାଧିକାଙ୍କ ଶରୀରରେ ୪ଟି ଗୁଳି ବାଜିଛି ଏବଂ ସମସ୍ତ ଗୁଳି ଛାତିରେ ବାଜିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ସମସ୍ତ ଗୁଳି କଢ଼ାଯାଇ ଫରେନ୍ସିକ ପରୀକ୍ଷା ପାଇଁ ପଠାଯାଇଛି।  ତେବେ ଏହି ମାମଲାରେ ଏବେ ମୁଖ୍ୟ ବିବାଦୀୟ ପ୍ରସଙ୍ଗ ହେଉଛି ଗୁଳି ଚଳାଇଥିବା ବ୍ୟକ୍ତିଙ୍କ ନିଜସ୍ବ ସ୍ବୀକାରୋକ୍ତି।  ପୁଲିସ ଏତଲା ଅନୁଯାୟୀ ଅଭିଯୁକ୍ତ ଦୀପକ ଯାଦବ ସ୍ବୀକାର କରିଥିଲେ ଯେ ସେ ନିଜ ଝିଅକୁ ପଛରୁ ଗୁଳି କରିଛନ୍ତି। କିନ୍ତୁ ବ୍ୟବଚ୍ଛେଦ ରିପୋର୍ଟ କହୁଛି ତାଙ୍କୁ ସମ୍ମୁଖରୁ ଗୁଳି କରାଯାଇଛି।  ଉଲ୍ଲେଖ‌ଯୋଗ୍ୟ,  ୨୫ ବର୍ଷୀୟା ଟେନିସ ଖେଳାଳି ରାଧିକାଙ୍କୁ ତାଙ୍କ ବାପା ଗୁରୁବାର ସକାଳେ ଅତି ନିକଟରୁ ଗୁଳିକରି ହତ୍ୟା କରିଥିଲେ।  
ମିଳିଥିବା ସୂଚନାନୁଯାୟୀ ରାଧିକାଙ୍କ ବାପା ତାଙ୍କୁ ତାଙ୍କ ପୂରା କ୍ୟାରିୟରରେ ସହଯୋଗ କରିଥିଲେ।  ରାଧିକାଙ୍କ ଟେନିସ୍‌ ଏକାଡେମି ପାଇଁ ସେ  ୨ କୋଟି ଟଙ୍କା ବିନିଯୋଗ କରିଛନ୍ତି। କିନ୍ତୁ ସେ ଜଣେ କ୍ଷଣକୋପୀ ବ୍ୟକ୍ତି। ନିଜ ଝିଅ ଏବଂ ପତ୍ନୀଙ୍କୁ ସେ ସାମାନ୍ୟ କାରଣରୁ ବି ସନ୍ଦେହ କରି ଗାଳିଗୁଲଜ କରୁଥିବା ଜଣାପଡ଼ିଛି।  ସୂଚନାନୁଯାୟୀ ଦୀପକ ଅଳ୍ପଦିନ ତଳେ ତାଙ୍କ ଗାଁକୁ ଯାଇଥିଲେ । ସେଠାରେ କିଛି ଗ୍ରାମବାସୀ ତାଙ୍କୁ ‘ଗିରା ହୁଆ ବାପ୍‌’ କହିଥିଲେ। ଏଥିରେ ଦୀପକ ଖୁବ୍‌ଜୋର୍‌ ରାଗି ଯାଇଥିଲେ। ଘରକୁ ଫେରିବାପରେ ରାଧିକାଙ୍କ ସହ ତାଙ୍କର ବଚସା ହୋଇଥିଲା। ଦୀପକ ଏହାପରେ ଝିଅ ରାଧିକାଙ୍କୁ ଏକାଡେମି ବନ୍ଦ କରିବାକୁ କହିଥିଲେ। କୁହାଯାଉଛି ଯେ ଦୀପକ ୩ ଦିନ କାଳ ଚିନ୍ତା କରିଥିଲେ ଯେ ଆତ୍ମହତ୍ୟା କରିବେ ନା’ ଝିଅକୁ ମାରିବେ। ଗୁରୁବାର ଦିନ ସେ ନିଜ ଝିଅକୁ ମାରିବାପାଇଁ ନିଷ୍ପତ୍ତି ନେଲେ। ଗୁରୁବାର ରାଧିକା ନିଜ ମା’ଙ୍କ ଜନ୍ମଦିନ ପାଇଁ କିଛି ସ୍ବତନ୍ତ୍ର ଖାଦ୍ୟ ପ୍ରସ୍ତୁତ କରିବାକୁ କି‌ଚେନ୍‌ ଯିବା ସମୟରେ ଦୀପକ ତାଙ୍କ ଉପରକୁ ୫ ରାଉଣ୍ଡ୍‌ ଗୁଳି ଚଳାଇଥିଲେ। ଏଥି‌ରୁ ୪ଟି ଗୁଳି ତାଙ୍କ ଛାତିରେ ବାଜିଥିଲା ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।