ଗୁରୁଗ୍ରାମ: ଦିଲ୍ଲୀ ସଂଲଗ୍ନ ଗୁରୁଗ୍ରାମରେ ରାଜ୍ୟସ୍ତରୀୟ ଟେନିସ୍ ଖେଳାଳି ରାଧିକା ଯାଦବଙ୍କୁ ତାଙ୍କ ନିଜ ବାପା ଦୀପକ ଯାଦବ ଗୁଳି କରି ହତ୍ୟା କରିଥିବାର ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଝିଅ ହତ୍ୟାକାରୀ ବାପା ବି ପୁଲିସ ସମ୍ମୁଖରେ ନିଜର ଦୋଷ ସ୍ବୀକାର କରି କହିଛନ୍ତି, ‘ଲୋକେ ସର୍ବଦା ମୋତେ ତାତ୍ସଲ୍ୟ କରି କହୁଥିଲେ ମୁଁ ମୋ ଝିଅର ରୋଜଗାର ଖାଉଛି ଓ ଚଳୁଛି। ଏହା ମୋତେ ଆଦୌ ଭଲ ଲାଗି ନଥିଲା। ମୁଁ ରାଧିକାକୁ ଏକାଡେମୀ ବନ୍ଦ କରିବା ପାଇଁ କହିଥିଲି। କିନ୍ତୁ ସେ ରାଜି ନହେବାରୁ ହତ୍ୟା କଲି।’
ତେବେ ହତ୍ୟାକାରୀ ଦୀପକଙ୍କ ଏଭଳି ବୟାନକୁ ନେଇ ସନ୍ଦେହ ଉପୁଜିଛି। କାରଣ ଦୀପକ ଜଣେ ବ୍ୟବସାୟୀ ଥିବା ସହିତ ତାଙ୍କର ଭଲ ସମ୍ପତ୍ତି ବି ରହିଛି। ଏପରି ପରିସ୍ଥିତିରେ ସେ କାହିଁକି ଝିଅ ରୋଜଗାରରେ ଚଳୁଥିବେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏହି ଘଟଣାକୁ ନେଇ ଦୀପକ ଯାଦବଙ୍କ ଜଣେ ଘନିଷ୍ଠ ବନ୍ଧୁ ଯିଏକି ୱାଜିରବାଦ ଗାଁରେ ବସବାସ କରନ୍ତି ସେ କହିଛନ୍ତି, ‘ ଦୀପକଙ୍କ ଗୁରୁଗ୍ରାମରେ ଅନେକ ସମ୍ପତ୍ତି ଅଛି। ଭଡା ବାବଦକୁ ପ୍ରତିମାସରେ ଦୀପକ ୧୫ ରୁ ୧୭ ଲକ୍ଷ ଟଙ୍କା ରୋଜଗାର କରନ୍ତି। ଦୀପକଙ୍କ ପାଖରେ ଏକ ଲାଇସେନ୍ସପ୍ରାପ୍ତ ରିଭଲଭର ରହିଛି। ଯାହାକି କୌଣସି ସାଧାରଣ ଲୋକଙ୍କ ପାଖରେ ଦେଖିବାକୁ ମିଳି ନଥାଏ।
କେବଳ ଏତିକି ନୁହେଁ ଗୁରୁଗ୍ରାମରେ ତାଙ୍କର ଏକ ବିଳାସପୂର୍ଣ୍ଣ ମହଲ ବି ଅଛି। ଏସବୁ ପରେ ମୋତେ ବିଶ୍ବାସ ହେଉନାହିଁ କି ତାଙ୍କୁ ଗ୍ରାମବାସୀ କହୁଥିବେ କି ସେ ଝିଅର ରୋଜଗାରରେ ଚଳୁଛନ୍ତି।
ଦୀପକ ଜଣେ ସଂଯମ ବ୍ୟକ୍ତି ଥିଲେ। ସେ ଟେନିସ୍ ଶିଖାଇବା ପାଇଁ ଝିଅର ପାଠପଢ଼ା ମଧ୍ୟ ଛଡ଼ାଇ ଦେଇଥିଲେ। ସେ ତାଙ୍କ ଝିଅ ପାଇଁ ୨ ଲକ୍ଷ ଟଙ୍କାର ଟେନିସ୍ ରାକେଟ୍ କିଣି ଆଣିଥିଲେ। ଝିଅ ରାଧିକାଙ୍କୁ ଦୀପକ ଖୁବ ବହୁତ ଭଲ ପାଉଥିଲେ। ମୋ ମତରେ ହତ୍ୟା ପଛରେ କିଛି ବ୍ୟକ୍ତିଗତ କାରଣ ଥାଇପାରେ, ଟେନିସ୍ କିମ୍ବା ଟେନିସ୍ ଏକାଡେମୀ ନୁହେଁ।’