ନୁହ: ହରିୟାଣାର ନୁହରେ ବିଶ୍ବ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଆସନ୍ତାକାଲି (ସୋମବାର) ବ୍ରଜମଣ୍ଡଳ ଜଳାଭିଷେକ ଯାତ୍ରା ବାହାର କରିବା ପାଇଁ ଘୋଷଣା କରାଯାଇଛି। ତେବେ ଏଭଳି ଯାତ୍ରା ବାହାର ନକରିବା ପାଇଁ ସରକାର କଡ଼ା ଚେତାବନୀ ଦେବା ସହ ବିନା ଅନୁମତିରେ ଯାତ୍ରା କରାଗଲେ କଠୋର ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି। ସାଂପ୍ରଦାୟିକ ସଦ୍‌ଭାବ ରକ୍ଷା ଦିଗରେ ସବୁ ପକ୍ଷ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ବିଶ୍ବ ହିନ୍ଦୁ ପରିଷଦ କୌଣସି ଚେତାବନୀକୁ ଭୃକ୍ଷେପ ନକରି ଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ଚଳାଇଛି। ଭିଏଚ୍‌ପି କହିଛି ଯେ ଯାତ୍ରା ପାଇଁ କୌଣସି ଅନୁମୋଦନ ଆବଶ୍ୟକ ନାହିଁ ଏବଂ ଏହା ଶ୍ରଦ୍ଧାଳୁଙ୍କ ଅଧିକାର। ଶାନ୍ତିପୂର୍ଣ୍ଣ ଭାବେ ଜଳାଭିଷେକ ଯାତ୍ରା ଆୟୋଜନ କରିବାରେ ସମସ୍ୟା କେଉଁଠି ବୋଲି ଭିଏଚ୍‌ପି ପ୍ରଶ୍ନ କରିଛି। ଆସନ୍ତାକାଲି ପୂର୍ବାହ୍ନ ୧୧ଟାରୁ ଯାତ୍ରା ଆରମ୍ଭ ହେବ ବୋଲି ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି।

Advertisment

ଏକ ଧର୍ମପରାୟଣ ରାଷ୍ଟ୍ରରେ ଧାର୍ମିକ ଯାତ୍ରା ପାଇଁ କାହାଠାରୁ ଅନୁମତି ନିଆଯିବ ନାହିଁ ବୋଲି କୁହାଯାଇଛି। ଏଭଳି ସ୍ଥିତିରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ସୁରକ୍ଷା କଡ଼ାକଡ଼ି କରାଯାଇଛି। ମୋବାଇଲ ଇଣ୍ଟରନେଟ ବନ୍ଦ ରଖାଯାଇଥିବା ବେଳେ ଆଜି ନୁହରେ ଧାରା ୧୪୪ ଲାଗୁ ହୋଇଛି। ସ୍କୁଲ କଲେଜ ମଧ୍ୟ ମଙ୍ଗଳବାର ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ପୁଲିସ ଡ୍ରୋନ୍‌ ମାଧ୍ୟମରେ ବିଭିନ୍ନ ଅଂଚଳ ଉପରେ ସତର୍କ ନଜର ରଖିଛି। କୌଣସି ବି ଗୋଷ୍ଠୀ ହିଂସା ଭିଆଇବାକୁ ଯୋଜନା କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦିଆଯାଇଛି। ନୁହ ସୀମା ସିଲ କରାଯିବା ସହ ପରିସ୍ଥିତି ଉପରେ ନଜର ରଖିବା ପାଇଁ ୫୦ରୁ ଅଧିକ ସ୍ବତନ୍ତ୍ର ପୁଲିସ ଟିମ୍‌ ନିୟୋଜିତ ହୋଇଛି।

ପୂର୍ବରୁ ନୁହରେ ହୋଇଥିବା ସାଂପ୍ରଦାୟିକ ହିଂସାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦଙ୍ଗାକାରୀମାନେ ବ୍ୟାପକ ପୋଡ଼ାଜଳା କରିଥିଲେ। ଏହି ମାମଲାରେ ପୁଲିସ ୩ ଶହରୁ ଅଧିକ ଲୋକଙ୍କୁ ଗିରଫ କରିଥିଲା। ଦଙ୍ଗାରେ ସଂପୃକ୍ତ ପ୍ରାୟ ୪ ଶହ ଲୋକଙ୍କ ଘରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇଥିଲା।