୧୧ ଜଣ ମହିଳା ପ୍ରଭୁ ଆୟାପ୍ପାଙ୍କ ପୀଠକୁ ଆରୋହଣ କରିବାକୁ ଉଦ୍ୟମ କରିବାରୁ ସାବରିମାଲାରେ ଉତ୍ତେଜନା

ପାମ୍ବା: ଭକ୍ତମାନଙ୍କ ବିରୋଧ ସତ୍ତ୍ୱେ ୫୦ ବର୍ଷରୁ କମ୍‌ ବୟସ୍କା ୧୧ ଜଣ ମହିଳା ପର୍ବତ ଶୀର୍ଷରେ ଥିବା ଧର୍ମପୀଠକ ପ୍ରଭୁ ଆୟାପ୍ପାଙ୍କ ମନ୍ଦିରକୁ ଯିବା ନିମନ୍ତେ ଉଦ୍ୟମ କରିବାରୁ ରବିବାର ସକାଳେ ପର୍ବତର ପାଦଦେଶ ପାମ୍ବା ଠାରେ ଉତ୍ତେଜନାମୟ ପରିସ୍ଥିତି ସୃଷ୍ଟି ହୋଇଛି।

ମନ୍ଦିର ପରିସର ଠାରୁ ପ୍ରାୟ ୫ କିଲୋମିଟର ଦୂରରେ ଥିବା ପାରମ୍ପରିକ ବନପଥ ଦେଇ ସେମାନେ ପର୍ବତାରୋହଣ କରିବାକୁ ଉଦ୍ୟମ କରିଥିଲେ ବି ଭକ୍ତମାନେ ସେମାନଙ୍କ ବିରୋଧରେ ପ୍ରତିବାଦ ସ୍ୱରୂପ ନାମଜପ ଆରମ୍ଭ କରିବାରୁ ସେମାନେ ଆଗେଇ ପାରି ନାହାନ୍ତି।

ଚେନ୍ନାଇର ମହିଳା ସଙ୍ଗଠନ ‘ମିଠାଇ’ର ସଦସ୍ୟାମାନେ ବର୍ତ୍ତମାନ ରାସ୍ତାରେ ଆଣ୍ଠୁମାଡ଼ି ବସିଛନ୍ତି। ନିରାପତ୍ତାନ ନିମନ୍ତେ ସେମାନଙ୍କ ଚାରି ପଟେ ପୁଲିସ ଘେରି ରହିଛନ୍ତି।

ସଂଗଠନର ଅନ୍ୟତମ ସଦସ୍ୟା ତିଲକବତୀ କହନ୍ତି: ମନ୍ଦିର ଦର୍ଶନ କରିବା ଯାଏଁ ଆମେ ପ୍ରତିବାଦ କରିବୁ ଏବଂ ପ୍ରଭୁ ଆୟାପ୍ପାଙ୍କୁ ପ୍ରାର୍ଥନା କରିବୁ। ନିରାପତ୍ତା କାରଣ ଦର୍ଶାଇ ପୁଲିସ ଆମକୁ ଫେରିଯିବାକୁ କହିଛି। କିନ୍ତୁ, ଆମେ ଫେରିଯିବୁ ନାହିଁ।

ପାମ୍ବାସ୍ଥିତ ସ୍ଥାନୀୟ ପୁରୋହିତ ଆମକୁ ସାହାଯ୍ୟ କଲେ ନାହିଁ। ପ୍ରଥାନୁସାରେ, ଆମ ‘ଇରୁମୁଡିକେଟ୍ଟୁ’ ଦେବାକୁ ମନା କଲେ। ତେଣୁ ଆମେ ନିଜେ ତାହା ପ୍ରସ୍ତୁତ କଲୁ।

ମନ୍ଦିରର ଗର୍ଭଗୃହକୁ ଯିବା ପାଇଁ ଥିବା ପାହାଚ ଚଢ଼ିବାବେଳେ ପାରମ୍ପରିକ ‘ଇରୁମୁଡିକେଟ୍ଟୁ’ ଧାରଣ କରିବା ବାଧ୍ୟତାମୂଳକ। ୧୧ ଜଣ ମହିଳାଙ୍କ ମଧ୍ୟରୁ ୬ ଜଣ ଏହା ଧାରଣ କରିଛନ୍ତି।

ପାରମ୍ପରିକ କଳା ପୋଷାକ ପରିଧାନ କରି ସେ ମହିଳାମାନେ ସଂଗଠନର ସଂଯୋଜିକା ସେଲ୍‌ବିଙ୍କ ନେତୃତ୍ୱରେ ପୁଲିସ ନିକଟରେ ଦାବି କରୁଛନ୍ତି କି, ମନ୍ଦିରରେ ପୂଜାର୍ଚ୍ଚନା ନିମନ୍ତେ ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉ।

ଏ ଖବର ପ୍ରଘଟ ହେବା ପରେ ବହୁ ସଂଖ୍ୟକ ଭକ୍ତ ପାମ୍ବାକୁ ଛୁଟି ଆସିଛନ୍ତି। ପୁଲିସ ଅଧିକାରୀମାନେ ଉକ୍ତ ସଂଗଠନର କର୍ମକର୍ତ୍ତାମାନଙ୍କ ସହ କଥାବାର୍ତ୍ତା ଚଳାଇଛନ୍ତି।

ସମ୍ବନ୍ଧିତ ଖବର