ନୂଆଦିଲ୍ଲୀ: ଚୀନ୍ ପୂର୍ବ ଲଦାଖ୍ରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି) ଅଂଚଳକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ପ୍ରାୟ ୬୦ ହଜାର ସୈନ୍ୟ ମୁତୟନ କରିଥିବା ଏବଂ ଆଗୁଆ ପୋଷ୍ଟ୍ଗୁଡ଼ିକରେ ଅସ୍ତ୍ରଶସ୍ତ୍ର ଠୁଳ କରିଥିବାରୁ ଏହାକୁ ନେଇ ତୀବ୍ର ଉତ୍ତେଜନା ଜାରି ରହିଛି। ଯେ କୌଣସି ଚୀନୀ ଅତିକ୍ରମଣକୁ ପଣ୍ଡ କରିବା ପାଇଁ ଭାରତ ସର୍ବାଧିକ ସତର୍କ ରହିଛି। ଏଭଳି ସ୍ଥିତିରେ ଆସନ୍ତାକାଲି ଉଭୟ ଦେଶ ମଧ୍ୟରେ ସପ୍ତମ ପର୍ଯ୍ୟାୟ ସାମରିକ ଆଲୋଚନା ଅନୁଷ୍ଠିତ ହେବ। ପୂର୍ବରୁ ହୋଇଥିବା ଶୀର୍ଷ କମାଣ୍ଡରସ୍ତରୀୟ ଆଲୋଚନାର କୌଣସି ସୁଫଳ ମିଳିନଥିବା ବେଳେ ଏ ଦିଗରେ ଆସନ୍ତାକାଲିର ଆଲୋଚନା ନିର୍ଣ୍ଣାୟକ ହେବ ବୋଲି କୁହାଯାଉଛି। ଯଦି ଏହି ଆଲୋଚନାରେ ଉତ୍ତେଜନା ହ୍ରାସ ନେଇ କୌଣସି ସମାଧାନ ପନ୍ଥା ନ ବାହାରିବ ଏବଂ ସେନା ପ୍ରତ୍ୟାହାର ପାଇଁ ଚୀନ୍ ରାଜି ହେବନାହିଁ ତା’ହେଲେ ପରିସ୍ଥିତି ଯୁଦ୍ଧ ଆଡ଼କୁ ମୁହାଁଇବ ବୋଲି ଆଶଙ୍କା କରାଯାଉଛି । ଗତକାଲି ଆମେରିକା ଏନ୍ଏସ୍ଏ ଭାରତକୁ ସତର୍କ କରାଇ କହିଥିଲେ ଯେ ଚୀନ୍ ସହ ଆଲୋଚନାରୁ କୌଣସି ସୁଫଳ ମିଳିବ ନାହିଁ ଏବଂ ଚୀନ୍ ନିଜର ସାମରିକ ଶକ୍ତି ବଳରେ ଏଲ୍ଏସିକୁ ବଳପୂର୍ବକ ନିଜ ଦଖଲରେ ରଖିବାକୁ ଚାହୁଛି। ଭାରତର ଘନିଷ୍ଠ ସାମରିକ ସହଯୋଗୀ ଆମେରିକା କହିଛି ଯେ ଚୀନ୍ କେବଳ ବଳ ପ୍ରୟୋଗ କରିବା ଉଦ୍ଦେଶ୍ୟରେ ୬୦ ହଜାର ସୈନିକ ଠୁଳ କରିଥିବାରୁ ଭାରତକୁ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ।
ଆମେରିକା ଉପ ବିଦେଶ ସଚିବ ଷ୍ଟିଫେନ୍ ବିଗାନ ଆସନ୍ତାକାଲିଠାରୁ ୩ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଚୀନ୍ର ଆକ୍ରମଣାତ୍ମକ ରଣନୀତିର ମୁକାବିଲା ନେଇ ସେ ବିଦେଶମନ୍ତ୍ରୀ ଜୟଶଙ୍କରଙ୍କ ସହ ବିସ୍ତୃତ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଆମେରିକା, ଅଷ୍ଟ୍ରେଲିଆ, ଭାରତ ଏବଂ ଜାପାନକୁ ନେଇ ଗଠିତ ‘କ୍ବାଡ’ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଗତ ୬ ତାରିଖ ଦିନ ଟୋକିଓରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଚୀନ୍ର ବିସ୍ତାରବାଦୀ ନୀତି ଏବଂ ଜଟିଳ ବାଣିଜ୍ୟକ ନୀତିର ମୁକାବିଲା ପାଇଁ ସମସ୍ତେ ଏକଜୁଟ୍ ହୋଇ କାମ କରିବାକୁ ଆହ୍ବାନ ଦିଆଯାଇଥିଲା।