ଲଦାଖରେ ଉତ୍ତେଜନା ହ୍ରାସ: ଭାରତ-ଚୀନ୍ ସାମରିକ କଥାବାର୍ତ୍ତା ବିଫଳ, ପରସ୍ପରକୁ ଦୋଷାରୋପ

ନୂଆଦିଲ୍ଲୀ: ଲଦାଖରେ ଉତ୍ତେଜନା ହ୍ରାସ କରିବା ପାଇଁ ଭାରତ ଓ ଚୀନ୍‌ର ସେନା କମାଣ୍ଡର-ସ୍ତରୀୟ ସଦ୍ୟତମ ଆଲୋଚନା ରବିବାର ବିଫଳ ହୋଇଛି। ଚୀନ୍‌ର ପକ୍ଷ ଗ୍ରହଣୀୟ ନ ଥିଲା ବୋଲି ଭାରତୀୟ ସେନା କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି। ଏହି ବୈଠକରେ ଭାରତୀୟ ପକ୍ଷ ସମାଧାନ ପାଇଁ ଗଠନମୂଳକ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏହି ପ୍ରସ୍ତାବକୁ ଚୀନ୍ ଗ୍ରହଣ କଲାନାହିଁ କିମ୍ବା କୌଣସି ଗଠନମୂଳକ ପ୍ରସ୍ତାବ ବି ଦେଲା ନାହିଁ, ଯାହାଫଳରେ କଥାବାର୍ତ୍ତା ଆଗକୁ ବଢ଼ିପାରି ଥାନ୍ତା। ତେଣୁ କୌଣସି ସମାଧାନରେ ପହଞ୍ଚିବା ସମ୍ଭବ ହେଲା ନାହିଁ ବୋଲି ଭାରତୀୟ ସେନା ଏକ ବିବୃତିରେ ପ୍ରକାଶ କରିଛନ୍ତି। ଚୀନ୍ ମଧ୍ୟ ସ୍ବୀକାର କରିଛି ଯେ କଥାବାର୍ତ୍ତା ବିଫଳ ହୋଇଛି। ଚୀନ୍ ସେନା ଏକ ବିବୃତିରେ କହିଛି ଯେ ଭାରତ ଅବାସ୍ତବ ଓ ଅଯୌକ୍ତିକ ଦାବି କରିବାରୁ କଥାବାର୍ତ୍ତା ବିଫଳ ହେଲା। ସୀମାନ୍ତଟାକୁ ଉତ୍ତେଜନାଶୂନ୍ୟ ରଖିବା ପାଇଁ ଚୀନ୍ ଖୁବ୍ ଚେଷ୍ଟା କରୁଛି ବୋଲି ମଧ୍ୟ ଏହି ବିବୃତିରେ କୁହାଯାଇଛି। ତେବେ ୧୩ଶ ପର୍ଯ୍ୟାୟ ସାମରିକ କଥାବାତ୍ତା ରବିବାର ସାଢ଼େ ଆଠ ଘଣ୍ଟା ଧରି ଚାଲିଥିବା ବେଳେ କୌଣସି ସମାଧାନରେ ପହଞ୍ଚିବା ସମ୍ଭବ ହୋଇ ନ ଥିଲା। ଦିନ ସାଢ଼େ ୧୦ଟାରୁ ସନ୍ଧ୍ୟା ୭ଟା ଯାଏ କଥାବାର୍ତ୍ତା ଚାଲିଥିଲା। ପୂର୍ବ ଲଦାଖରୁ ଚୀନ୍ ଯେତେଶୀଘ୍ର ସୈନ୍ୟସଂଖ୍ୟା ହ୍ରାସ କରୁ ବୋଲି ଭାରତ ପ୍ରସ୍ତାବ ଦେଇଥିଲା।

ବଫର ଜୋନ୍ (ନିରପେକ୍ଷ ଅଞ୍ଚଳ) ଥିବା ପାଙ୍ଗଙ୍ଗ ସୋ, ଗଲୱାନ ଓ ଗୋଗ୍ରା ଅଞ୍ଚଳରେ ଉତ୍ତେଜନା ହ୍ରାସ କରିବାକୁ ଭାରତ ଚାହୁଁଥିଲା। କିନ୍ତୁ ଚୀନ୍ ସେଥିରେ ସମ୍ମତ ହେଲା ନାହିଁ। ଚୀନ୍ କହୁଛି ହଟ୍ ସ୍ପ୍ରିଙ୍ଗ୍ ଅଞ୍ଚଳରେ ବି ଅନୁରୂପ ବଫର ଜୋନ୍ ପ୍ରତିଷ୍ଠା ହେଉ। କିନ୍ତୁ ସେଠାରେ ୩ରୁ ୧୦ କିମି ଅଞ୍ଚଳକୁ ଯଦି ବଫର ଜୋନ୍‌ର ମାନ୍ୟତା ଦିଆଯାଏ, ତେବେ ଭାରତ ସେଠାରେ ଆଉ ପାଟ୍ରୋଲିଂ କରିପାରିବ ନାହିଁ, ଯାହା ସେ ପାମ୍ପରିକଭାବେ କରିଆସୁଛି। ସେଥିପାଇଁ ସେଠାରେ ବଫର ଜୋନ୍ ଲାଗି ଜାଗା ଛାଡ଼ିବାକୁ ଭାରତ ରାଜି ହେଲା ନାହିଁ। ଚୀନ୍ ସେନାର ମୁଖପାତ୍ର କହିଛନ୍ତି ଯେ, ଚୀନ୍ ତା’ର ସାର୍ବଭୌମତ୍ବର ସୁରକ୍ଷା ପାଇଁ ପ୍ରତିବଦ୍ଧ। ଭାରତ ଚୀନ୍‌ର ସାମରିକ ଗତିବିଧିକୁ ଭିନ୍ନ ଦୃଷ୍ଟିରେ ନେବା ଉଚିତ ନୁହେଁ। ଭାରତୀୟ ପକ୍ଷ ପ୍ରାସଙ୍ଗିକ ଚୁକ୍ତିନାମାଗୁଡ଼ିକୁ ମାନିବା ସହ ସୀମାନ୍ତ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଆବଶ୍ୟକ। ତେବେ ରବିବାରର କଥାବାର୍ତ୍ତା ବିଫଳ ହେବା ପାଇଁ ଉଭୟ ପକ୍ଷ ପରସ୍ପରକୁ ଦାୟୀ କରୁଥିବା ଦେଖାଯାଇଛି।

ସମ୍ବନ୍ଧିତ ଖବର