ଭାରତ-ଚୀନ ସୀମାରେ ଉତ୍ତେଜନା ଥମୁନି: ୫ ଥର କଥା ହେଲେଣି, ତଥାପି ବିଫଳ

ଲଦାଖରେ ସେନା ମୁଖ୍ୟ, ସୁରକ୍ଷା ସ୍ଥିତି ସମୀକ୍ଷା

ନୂଆଦିଲ୍ଲୀ: ଲଦାଖର ୩ଟି ଅଂଚଳରେ ଭାରତ ଓ ଚୀନ୍‌ ସେନା ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଉଭୟ ଦେଶର ସେନା ମୁତୟନ ଏହି ଅଂଚଳରେ ବୃଦ୍ଧି ପାଇବା ସହ ଉତ୍ତେଜନା ଜାରି ରହିଛି। ଏଭଳି ସ୍ଥିତିରେ ସେନା ମୁଖ୍ୟ ଜେନେରାଲ ଏମ୍‌ଏମ୍‌ଏମ୍‌ ନରବେଣେ ଆଜି ଲେହ ଅଂଚଳ ଗସ୍ତ କରି ବରିଷ୍ଠ ଅଧିକାରୀମାନଙ୍କ ସହ ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି। ଲେହରେ ଅବସ୍ଥିତ ସେନା ମୁଖ୍ୟାଳୟକୁ ସେନାମୁଖ୍ୟ ଜେନେରାଲ ନରବଣେ ଗସ୍ତ କରି ଉତ୍ତର କମାଣ୍ଡର ମୁଖ୍ୟ ଅଧିକାରୀଙ୍କ ସହ ସୁରକ୍ଷା ସ୍ଥିତି ସଂପର୍କରେ ବିସ୍ତୃତ ଆଲୋଚନା କରିଥିବା ସେନା ପ୍ରବକ୍ତା ସୂଚନା ଦେଇଛନ୍ତି

ସୂଚନାଯୋଗ୍ୟ ଯେ ଲଦାଖ ଅଞ୍ଚଳରେ ଉତ୍ତେଜନା ହ୍ରାସ କରିବା ଲାଗି ଭାରତ ଏବଂ ଚୀନ ସେନା ଇତିମଧ୍ୟରେ ୫ ଥର କଥାବାର୍ତା ହେଲେଣି। କିନ୍ତୁ କୌଣସି ସମାଧାନ ସୂତ୍ର ବାହାରି ପାରୁ ନାହିଁ। ଚୀନ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଭାରତୀୟ ‌େସନା ମଧ୍ୟ ଚୀନର ଜିଦ ‌ଆଗରେ କୋହଳ ହେବାକୁ ପ୍ରସ୍ତୁତ ନୁହେଁ। କାରଣ ଚୀନ କୌଣସି କାରଣ ନଥାଇ ଭାରତ ଉପରେ ଚାପ ପକାଇବାକୁ ଉଦ୍ୟମ ଚଳାଇଛି। ସୀମାର ନିଜ ଅଞ୍ଚଳରେ ଭାରତ ରାସ୍ତା ନିର୍ମାଣ କରୁଥିବାରୁ ଚୀନ ଏହାର ବିରୋଧ କରିବାର କୌଣସି କାରଣ ନାହିଁ। ଉତ୍ତର ଲଦାଖର ଗାଲୱାନ ନାଲା ଅଂଚଳରେ ଚୀନ୍‌ ସେନା ମୁତୟନ ବଢ଼ାଇବା ପରେ ଭାରତ ମଧ୍ୟ ସେଠାରେ ନିଜର ସ୍ଥିତି ସୁଦୃଢ଼ କରିବା ସହ ଚୀନ୍‌ର ଯେ କୌଣସି ଚାଲ୍‌କୁ ପଣ୍ଡ କରିବାକୁ ପ୍ରସ୍ତୁତ ରହିଛି। ଚୀନ୍‌ ଏହି ଅଂଚଳରେ ଭାରତର ନିର୍ମାଣ କାର୍ଯ୍ୟକୁ ବିରୋଧ କରିଆସୁଛି, କିନ୍ତୁ ଭାରତ ନିଜର ସୁରକ୍ଷା ପାଇଁ କୌଣସି ସାଲିସ୍‌ କରିବାର ପ୍ରଶ୍ନ ଉଠୁନାହିଁ ବୋଲି ସ୍ପଷ୍ଟ କରିଦେଇଛି।

ପୂର୍ବ ଲଦାଖରେ ଗତ ୫/୬ ତାରିଖରେ ଭାରତ ଏବଂ ଚୀନ ସେନା ମଧ୍ୟ‌େର ମାରପିଟ୍ ହେବା ପରେ ପରିସ୍ଥତି ଅଧିକ ଜଟିଳ ‌େହାଇଛି। ଦୁଇ ଦେଶର ୨୫୦ରୁ ଅଧିକ ସୈନ୍ୟଙ୍କ ମଧ୍ୟ‌େର ସେଠାରେ ସଂଘର୍ଷ ହୋଇଥିଲା। ଲୁହା ରଡ଼୍ ଏବଂ ଲାଠି ଧ‌ରି ସେମାନେ ମାରପିଟ୍ ହୋଇଥିଲେ। ଏପରିକି ପରସ୍ପର ଉରପକୁ ସେମାନେ ଢେଲାମାଡ଼ ମଧ୍ୟ କରିଥିଲେ। ଏଥିରେ ଉଭୟ ପକ୍ଷର ସୈନ୍ୟ ଆହତ ହୋଇଥିଲେ। ଏହାକୁ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ ପୁଣି ଗତ ୯ ତାରିଖରେ ସିକିମର ନାକୁଲା ପାସ୍ ସେକ୍ଟରରେ ଦୁଇ ଦେଶର ସେନା ମୁହାଁମୁହିଁ ହୋଇଥିଲେ। ମାରପିଟ୍ ହେବାରୁ ୧୦ ଜଣ ସୈନ୍ୟ ଆହତ ହୋଇଥିଲେ। ଏଭଳି ଉତ୍ତେଜନାକୁ ହ୍ରାସ କରିବା ଲାଗି ଉଭୟ ସେନା ମଧ୍ୟରେ ୫ ଥର ଆଲୋଚନା ହେଲାଣି। କିନ୍ତୁ ଚୀନ୍‌ର ଜିଦଖୋର ଆଭିମୁଖ୍ୟ ଯୋଗୁଁ କଥାବାର୍ତା ସଫଳ ହେଉନାହିଁ। ଅନ୍ୟପକ୍ଷରେ ଉଭୟ ପକ୍ଷ ଏହି ଅଞ୍ଚଳରେ ଅଧିକ ସଂଖ୍ୟକ ସେନା ମୁତୟନ କରିବାରେ ଲାଗିଛନ୍ତି। ନିକଟ ଭବିଷ୍ୟତରେ ଉତ୍ତେଜନା ହ୍ରାସ ପାଇବ ବୋଲି ଜଣାପଡ଼ୁନାହିଁ। ପରିସ୍ଥିତି ଜଟିଳ ହେବାକୁ ଲାଗିଥିବାରୁ ଜେନେରାଲ ନରବଣେ ଆଜି ସଂପୃକ୍ତ ଅଞ୍ଚଳ ଗସ୍ତ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି। ସୂଚନାଯୋଗ୍ୟ ଯେ ଭାରତ ଏହି ଅଞ୍ଚଳ‌େର ୨୫୫ କିଲୋମିଟର ଦୀର୍ଘ ଏକ ରାସ୍ତା ନିର୍ମାଣ କରିଥିବାରୁ ଚୀନ୍‌ ଏହାର ବିରୋଧ କରି ଏଭଳି ଉତ୍ତେଜନା ସୃଷ୍ଟି କରୁଛି। ଏହାକୁ ନେଇ ଆମେରିକା ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛି।

ସମ୍ବନ୍ଧିତ ଖବର