ଶ୍ରୀନଗର: ପହଲଗାମ ଆକ୍ରମଣକୁ ନେଇ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଭିତରେ ଗତ ରାତି ତମାମ ଜମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖା (ଏଲ୍ଓସି)ର ବିଭିନ୍ନ ଅଂଚଳରେ ପାକିସ୍ତାନୀ ସେନା ଗୁଳି ଚଳାଇଥିଲା। ରାତି ତମାମ ଗୁଳିବର୍ଷା ଚାଲିଥିବା ବେଳେ ଭାରତ ଏହାର କଡ଼ା ଜବାବ ଦେଇଛି। ଏହି ଘଟଣାକୁ ଅସ୍ତ୍ରବିରତି ଚୁକ୍ତିର ଗୁରୁତର ଉଲ୍ଲଂଘନ ବୋଲି ବିବେଚନା କରାଯାଉଛି ଏବଂ ଏହାକୁ ଏକ ବଡ଼ ଉତ୍ତେଜନା ଭାବେ ଭାରତ ଗ୍ରହଣ କରି ସେହି ଆଧାରରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ପାକିସ୍ତାନ ସେନା ଗତରାତିରେ ପୁଞ୍ଚ ସମେତ ନିୟନ୍ତ୍ରଣ ରେଖାର କେତେକ ସ୍ଥାନରେ ଗୁଳିମାଡ଼ ଆରମ୍ଭ କରିବା ପରେ ଭାରତ ପକ୍ଷରୁ ଭାରୀ ଯୁଦ୍ଧାସ୍ତ୍ରରେ ଏହାର ଜବାବ ଦିଆଯାଇଥିଲା। ଭାରତୀୟ ସେନାର ପ୍ରଭାବଶାଳୀ ଜବାବ ପାକିସ୍ତାନକୁ ନିରବ ରହିବାକୁ ବାଧ୍ୟ କରିଥିଲା। ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନକୁ ଦୃଷ୍ଟିରେ ରଖି ସୀମାବର୍ତ୍ତୀ ଗ୍ରାମବାସୀଙ୍କୁ ସତର୍କ କରାଯାଇଛି ଏବଂ ଆବଶ୍ୟକସ୍ଥଳେ ତୁରନ୍ତ ସୁରକ୍ଷିତ ଆଶ୍ରୟସ୍ଥଳକୁ ଯିବାପାଇଁ କୁହାଯାଇଛି। ଜମ୍ମୁର ସୁଚେତଗଡ଼ଠାରେ ଥିବା ଭାରତ-ପାକିସ୍ତାନ ସୀମାକୁ ସାଧାରଣ ନାଗରିକଙ୍କ ପାଇଁ ବନ୍ଦ କରି ଦିଆଯାଇଛି। ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ସୁଚେତଗଡ଼ର ପୋଷ୍ଟ୍ ଅଂଚଳରେ ସାଧାରଣ ନାଗରିକଙ୍କ ଗମନାଗମନ ବନ୍ଦ କରିଦେଇଛି। ପଞ୍ଜାବ, ରାଜସ୍ଥାନ ଏବଂ ଗୁଜରାଟ ସୀମାରେ ମଧ୍ୟ ସୁରକ୍ଷା କଡ଼ାକଡ଼ି କରାଯିବା ସହ ସନ୍ଦେହଜନକ ଗତିବିଧି ଉପରେ ନଜର ରଖିବା ପାଇଁ ବିଭିନ୍ନ ସ୍ଥାନରେ ଯାଞ୍ଚ ଚାଲିଛି।
ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ହେବାର ୩ ଦିନ ପରେ ନିୟନ୍ତ୍ରଣ ରେଖାରେ ଗୁଳିବର୍ଷା ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ ଚରମରେ ପହଞ୍ଚାଇଛି। ପହଲଗାମ ଆକ୍ରମଣ ପରେ ପାକିସ୍ତାନର କୂଟନୈତିକ ଓ ରଣନୈତିକ ସ୍ୱାର୍ଥକୁ ଟାର୍ଗେଟ କରି ଭାରତ ଅନେକ ପ୍ରତିଶୋଧମୂଳକ ପଦକ୍ଷେପ ନେଇଛି । ଏହା ସହିତ ସୀମାରେ ସୁରକ୍ଷା କଡ଼ାକଡ଼ି କରାଯିବା ନିୟନ୍ତ୍ରଣ ରେଖା ଅଂଚଳରେ ପାକିସ୍ତାନର ପ୍ରତ୍ୟେକ ଗତିବିଧି ଉପରେ ଅହରହ ନଜର ରଖାଯାଉଛି।
ଶ୍ରୀନଗରରେ ସେନାମୁଖ୍ୟଙ୍କ ସୁରକ୍ଷା ସ୍ଥିତି ସମୀକ୍ଷା
ନୂଆଦିଲ୍ଲୀ: ଭାରତୀୟ ସେନା ମୁଖ୍ୟ ଉପେନ୍ଦ୍ର ଦ୍ବିବେଦୀ ଆଜି ଶ୍ରୀନଗର ଗସ୍ତ କରି ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି। ଗସ୍ତ ଅବସରରେ ଜେନେରାଲ୍ ଦ୍ବିବେଦୀ କମାଣ୍ଡ୍ ସୁରକ୍ଷା ସ୍ଥିତି ସଂକ୍ରାନ୍ତରେ ଅବଗତ ହୋଇଛନ୍ତି। ଜେନେରାଲ ଦ୍ବିବେଦୀ ମଧ୍ୟ କାଶ୍ମୀରରେ ଅବସ୍ଥାପିତ ବରିଷ୍ଠ ସେନା କମାଣ୍ଡର ଏବଂ ଅନ୍ୟ ସୁରକ୍ଷା ସଂସ୍ଥାର ଅଧିକାରୀମାନଙ୍କ ସହ ରଣନୀତିକ ପରିବର୍ତ୍ତନ ସଂକ୍ରାନ୍ତ ଆଲୋଚନା କରିଛନ୍ତି। ଭାରତୀୟ ସେନା ଦ୍ବାରା ଆତଙ୍କବାଦୀଙ୍କୁ ଘଉଡ଼ାଇବାପାଇଁ କେଉଁ ପଦକ୍ଷେପ ଗ୍ରହଣ ହୋଇଛି ଏବଂ ଏଲ୍ଓସିରେ ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲ୍ଲଂଘନର ମୁକାବିଲା ପାଇଁ ଯେଉଁସବୁ ପଦକ୍ଷେପ ଗ୍ରହଣ ହୋଇଛି ସେନେଇ ସେନାମୁଖ୍ୟ ଅବଗତ ହୋଇଛନ୍ତି।
ଜେନେରାଲ ଦ୍ବିବେଦୀ ମଧ୍ୟ ଆଜି ଉଧମପୁରରେ ପହଞ୍ଚି ଉତ୍ତର କମାଣ୍ଡ ମୁଖ୍ୟାଳୟରେ ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି। ପୁଞ୍ଚ-ରାଜୌରୀ ଜିଲ୍ଲାର ଏଲ୍ଓସି ନିକଟସ୍ଥ ସୁରକ୍ଷା ସ୍ଥିତି ଏବଂ ପୀର୍ ପଞ୍ଜଲ ପାର୍ବତ୍ୟାଞ୍ଚଳର ଦକ୍ଷିଣରେ ଅବସ୍ଥିତ ଅଞ୍ଚଳର ସୁରକ୍ଷା ସ୍ଥିତି ସଂକ୍ରାନ୍ତରେ ଅବଗତ ହୋଇଛନ୍ତି। ସେନା ମୁଖ୍ୟ ଆଜି ଶ୍ରୀନଗରରେ ପହଞ୍ଚିବାପରେ ତାଙ୍କୁ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଭେଟିଛନ୍ତି। ଆତଙ୍କବାଦୀଙ୍କ ଭିତ୍ତିଭୂମି ଧ୍ବଂସ କରିବା ପାଇଁ ଉଦ୍ୟମ ଜୋର୍ଦାର୍ କରିବାକୁ ସେ ସେନାମୁଖ୍ୟଙ୍କୁ ଅନୁରୋଧ କରିଛନ୍ତି। ବୈଠକରେ ଉପରାଜ୍ୟପାଳ ସେନାର ସାହସ ଏବଂ ବୀରତ୍ବ ଉପରେ ଦେଶର ସମ୍ପୂର୍ଣ୍ଣ ଭରସା ରହିଥିବା ପ୍ରକାଶ କରିଥିଲେ।
ବାନ୍ଦିପୁରାରେ ଶୀର୍ଷ ଏଲ୍ଇଟି କମାଣ୍ଡର ନିପାତ
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ବାନ୍ଦିପୁରାରେ ଆଜି ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଏଲ୍ଇଟିର ଜଣେ ଶୀର୍ଷ କମାଣ୍ଡର ଅଲତଫ୍ ଲାଲି ନିପାତ ହୋଇଛି। ଏଲ୍ଇଟି ଆତଙ୍କବାଦୀଙ୍କୁ ଚିହ୍ନଟ କରି ମୂଳପୋଛ କରିବା ପାଇଁ ସୁରକ୍ଷାବାହିନୀ ଦ୍ବାରା ଏକ ବଡ଼ ଅପରେସନ୍ ଆରମ୍ଭ ହୋଇଛି। ଶୁକ୍ରବାର ସକାଳେ ଆତଙ୍କବାଦୀଙ୍କ ଉପସ୍ଥିତି ସଂକ୍ରାନ୍ତରେ ଗୁଇନ୍ଦା ସୂଚନା ପାଇ ସେନା, ଜମ୍ମୁ କାଶ୍ମୀର ପୁଲିସ ଦ୍ବାରା ବାନ୍ଦିପୁରରେ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା। ଆତଙ୍କବାଦୀଙ୍କୁ ଚିହ୍ନଟ କରାଯିବାପରେ ଗୁଳିମାଡ଼ ଆରମ୍ଭ ହୋଇଥିଲା। ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଜଣେ ଆତଙ୍କବାଦୀ ନିପାତ ହୋଇଥିବାବେଳେ ଆତଙ୍କବାଦୀଙ୍କ ପାଲଟା ଗୁଳିମାଡ଼ରେ ୨ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଆହତ ହୋଇଥିବା ୨ ସୁରକ୍ଷାକର୍ମୀ ହେଉଛନ୍ତି ଜଣେ ବରିଷ୍ଠ ଅଫିସରଙ୍କ ବ୍ୟକ୍ତିଗତ ସୁରକ୍ଷା ଟିମ୍ର ଏକ ଅଂଶ। ନିକଟସ୍ଥ ଜଙ୍ଗଲରେ ଲୁଚିଥିବା ଅନ୍ୟ ଜଣେ ଆତଙ୍କବାଦୀକୁ ଠାବ କରିବା ପାଇଁ ତଲାସୀ ଜାରି ରହିଛି।