ଝାଡ଼ଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କର କାର୍ଯ୍ୟକାଳ ବୃଦ୍ଧି ହେବାର ସମ୍ଭାବନା !

ମେ ୧୮ରେ ଶେଷ ହେଉଛି କାର୍ଯ୍ୟକାଳ

ନୂଆଦିଲ୍ଲୀ: ଚଳିତ ମାସ ୧୮ ତାରିଖରେ ଝାଡ଼ଖଣ୍ଡର ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କର କାର୍ଯ୍ୟକାଳ ଶେଷ ହେବ। ରାଜ୍ୟପାଳ ଭାବେ ୫ ବର୍ଷର ପୂର୍ଣ୍ଣ ଅବଧି ଶେଷ ହେଉଥିବାରୁ ତାଙ୍କ ସ୍ଥାନରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତ କରାଯିବା କଥା। କିନ୍ତୁ, ଏ ସଂକ୍ରାନ୍ତରେ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ। ତେଣୁ, କିଛି ଦିନ ପାଇଁ ଦ୍ରୌପଦୀ ମୁର୍ମୁଙ୍କର କାର୍ଯ୍ୟକାଳ ବୃଦ୍ଧି କରାଯିବାର ସମ୍ଭାବନା ରହିଛି।

ସମ୍ପ୍ରତି ଦେଶରେ କରୋନାଭାଇରସ୍‌ଜନିତ ସଙ୍କଟ ଯୋଗୁଁ ରାଜ୍ୟମାନଙ୍କରେ ରାଜ୍ୟପାଳମାନଙ୍କର ଭୂମିକା ବୃଦ୍ଧି ହୋଇଥିବା ଏବଂ ନୂଆ ରାଜ୍ୟପାଳ ନିଯୁକ୍ତ ହେବାରେ ବିଳମ୍ବ ହେବାର ସମ୍ଭାବନା ରହିଛି । ସେହି ଦୃଷ୍ଟିରୁ ଝାଡ଼ଖଣ୍ଡର ରାଜ୍ୟପାଳଙ୍କ କାର୍ଯ୍ୟକାଳ ଆଉ କିଛି ଦିନ ପାଇଁ ବୃଦ୍ଧି କରାଯିବାର ଆଶା ରହିଛି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ନିଷ୍ପତ୍ତି ଗ୍ରହଣ କରିପାରନ୍ତି।

ଏଠାରେ ପ୍ରକାଶଯୋଗ୍ୟ କି, ଦେଶର ପ୍ରଥମ ଆଦିବାସୀ ମହିଳା ରାଜ୍ୟପାଳ ରୂପେ ଦ୍ରୌପଦୀ ମୁର୍ମୁ ୨୦୧୫ ମେ ୧୮ ତାରିଖ ଦିନ ଝାଡ଼ଖଣ୍ଡର ରାଜ୍ୟପାଳ ଦାୟିତ୍ବ ଗ୍ରହଣ କରିଥିଲେ। ୨୦୦୦ ମସିହା ନଭେମ୍ବର ୧୫ ତାରିଖରୁ ଝାଡ଼ଖଣ୍ଡ ରାଜ୍ୟ ଗଠନ ହେବା ପର ଠାରୁ ୨୦୧୫ ମେ ୧୭ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ୮ ଜଣ ରାଜ୍ୟପାଳ ନିଯୁକ୍ତି ପାଇଥିଲେ। କିନ୍ତୁ, ସେମାନଙ୍କ ମଧ୍ୟରୁ କେହି ମଧ୍ୟ ୫ ବର୍ଷର ପୂର୍ଣ୍ଣ କାର୍ଯ୍ୟକାଳ ଅବଧି ପୂରଣ କରିପାରି ନ ଥିଲେ। ସେହି ଦୃଷ୍ଟିରୁ ଦେଖିବାକୁ ଗଲେ, ଦ୍ରୌପଦୀ ମୁର୍ମୁ ମେ ୧୮ ତାରିଖ ଦିନ ଝାଡ଼ଖଣ୍ଡର ପ୍ରଥମ ରାଜ୍ୟପାଳ ରୂପେ ୫ ବର୍ଷର ପୂର୍ଣ୍ଣ ଅବଧି ପୂରଣ କରିବାର ସୌଭାଗ୍ୟ ଅର୍ଜନ କରିବେ।

ସମ୍ବନ୍ଧିତ ଖବର